ଜନଗଣନା ପ୍ରାକ୍ ପରୀକ୍ଷଣ : ୪ ସ୍ଥାନରେ ଗୃହ ଗଣନା ଓ ଗୃହ ତାଲିକା ସଂଗ୍ରହ ଆରମ୍ଭ
ବହୁ ପ୍ରତୀକ୍ଷିତ ୨୦୨୭ ଜାତୀୟ ଜନଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ । ଏହା ପୂର୍ବରୁ ପ୍ରାକ ପରୀକ୍ଷଣ ଆରମ୍ଭ ହୋଇଛି । ଗତକାଲି (ନଭେମ୍ବର 17ରୁ) ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଚଳିତମାସ ଶେଷ (ନଭେମ୍ବର 30) ପର୍ଯ୍ୟନ୍ତ ଚାଲିବ । ଏଥିରେ ଗୃହ ତାଲିକା ଓ ଗୃହ ଗଣନା କରାଯିବ । ଏହି ସୂଚନା ଦେଇଛନ୍ତି ଓଡ଼ିଶାର ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ।ଏହି ସମୟରେ ଜନଗଣନା ଅଧିକାରୀ ଘରକୁ ଘର ବୁଲି ୩୪ଟି ପ୍ରଶ୍ନ କରିବେ । ୨୦୧୧ ଜନଗଣନା ତୁଳନାରେ ଚଳିତ ଥର ନୂଆ ପ୍ରଶ୍ନ ପଚାରିବେ । ବିଶେଷ କରି ପରିବାରରେ ବ୍ୟବହୃତ ହେଉଥିବା ପ୍ରଧାନ ଖାଦ୍ୟଶସ୍ୟ ନେଇ ପ୍ରଶ୍ନ କରିବେ । ଚାଉଳ, ଗହମ, ଯଅ, ବାଜରା, ମକା ଖାଉଥିଲେ ଅଧିକାରୀ ଲେଖିବେ । ନଚେତ ଅନ୍ୟ କୌଣସି ଖାଦ୍ୟ ସେବନ କରୁଥିଲେ ମଧ୍ୟ ଉଲ୍ଲେଖ କରିପାରିବେ ବୋଲି ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି ।ସେହିପରି ୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ହେବ । ଏହି ପର୍ଯ୍ୟାୟରେ ଆଉ ଗୃହ ତାଲିକା କିମ୍ବା ଗୃହ ଗଣନା ନ କରି ପୂର୍ବରୁ ତାଲିକାରେ ଥିବା ଘରେ ରହୁଥିବା ଲୋକଙ୍କୁ ଜନଗଣନାରେ ସାମିଲ କରାଯିବ । ଚଳିତ ଥର ଜାତି ଜନଗଣନା କରାଯିବ । ଏ ବାବଦରେ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଥିବା ସୂଚନା ଦିଆଯାଇଛି । ସମସ୍ତ ତଥ୍ୟ ଏଥର ଡିଜିଟାଲ୍ ମାଧ୍ୟମରେ ସଂଗ୍ରହ କରାଯିବ । ଯାହା ସେନସସ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ମନିଟରିଂ ସିଷ୍ଟମ(ସିଏମ୍ଏମ୍ଏସ୍)ରେ ରହିବ । ଯେଉଁ ଘର ଜନଗଣନା ସରିବ, ତାହା ଜିଓ ଟ୍ୟାଗିଂ ହୋଇଯିବ । ଫଳରେ ଡିଜିଟାଲ୍ ମ୍ୟାପ୍ର ଜିଓ ରେଫରେନ୍ସ ମିଳିବାରେ ସୁବିଧା ହେବ ।ଓଡ଼ିଶାରେ ଜନଗଣନା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପାଖାପାଖି ୩୫ ଲକ୍ଷ ଗଣନାକାରୀ, ସୁପରଭାଇଜର ଏବଂ ଅନ୍ୟ ଜନଗଣନା ଅଧିକାରୀ ନିୟୋଜିତ ହେବେ । ଜନଗଣନା ଅଧିକାରୀଙ୍କୁ ଏ ବାବଦରେ ତ୍ରିସ୍ତରୀୟ ପ୍ରଶିକ୍ଷଣ ଦିଅଯାଇଛି । ସାଇବର ସୁରକ୍ଷା ନେଇ ଉଚ୍ଚମାନର ପଦ୍ଧତି ଅବଲମ୍ବନ କରାଯିବ । ଜନଗଣନା ଅଧିକାରୀ ଲୋକଙ୍କ ଘରକୁ ଯିବା ବେଳେ ବୟସ, ଲିଙ୍ଗ, ବୈବାହିକ ସ୍ଥିତି, ପ୍ରଜନନ ସମ୍ବନ୍ଧୀୟ ତଥ୍ୟ, ପରିବାର ମୁଖିଆଙ୍କ ସହ ସମ୍ପର୍କ ଓ ପରିବାରର ଆକାର ବାବଦରେ ପଚାରିବେ । ଏହା ବ୍ୟତୀତ ଶିକ୍ଷା, ଅର୍ଥନୈତିକ କାର୍ଯ୍ୟକଳାପ, ଜନ୍ମସ୍ଥାନ, ଧର୍ମ, ଭାଷା, ଅକ୍ଷମତା ସ୍ଥିତି ବାବଦରେ ମଧ୍ୟ ବୁଝିବେ । ଜନଗଣନା ସଫଳ ହେବା ଦ୍ଵାରା ସରକାରଙ୍କ ବିଭିନ୍ନ ଯୋଜନା ଠିକ ଭାବେ କାର୍ଯ୍ୟକାରୀ କରିହେବ । ବିପର୍ଯ୍ୟୟ ମୁକାବିଲା ବେଳେ ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯାଇପାରିବ । ଅନୁସୂଚିତ ଜାତି, ଜନଜାତି, ଅନ୍ୟ ସମ୍ପ୍ରଦାୟ, ଦିବ୍ୟାଙ୍ଗ ସମେତ ଦୁର୍ବଳ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମକୁ ସୁଦୃଢ କରିବ ।
