ଜାନୁୟାରୀ ୧୦ ସୁଦ୍ଧା ସାରା ରାଜ୍ୟରେ ଧାନକିଣା: ମୁଖ୍ୟମନ୍ତ୍ରୀ
ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ ସଂଗ୍ରହ ବୈଠକ ଅବସରରେ କହିଛନ୍ତି। ଅଣଧାନ ଫସଲକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି ।ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏ ପର୍ଯ୍ୟନ୍ତ ରାଜ୍ୟର ୧୨ଟି ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଚାଲୁ ରହିଛି । ସେହିପରି ୧୭ଟି ଜିଲ୍ଲାରେ ଟୋକନ ବଣ୍ଟନ କରାଯାଇଛି । ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆଉ ୫ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ୧୦ ଜାନୁଆରୀ ୨୦୨୬ ମଧ୍ୟରେ ସବୁ ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ।ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୧,୧୧,୧୨୮ ଜଣ କୃଷକ ତାଙ୍କର ୪,୯୭,୫୯୪ ମେଟ୍ରିକ୍ ଟନ୍ ଧାନ ବିକ୍ରୟ କରିପାରିଛନ୍ତି। ଏପର୍ଯ୍ୟନ୍ତ ଏଥିପାଇଁ ପ୍ରାୟ ୧୦୫୬.୦୮ କୋଟି ଟଙ୍କାର ଅର୍ଥ ପ୍ରଦାନ କରାଯାଇଛି। ବୈଠକରେ ଧାନ ସଂଗ୍ରହରେ ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ୱନ ହେବ ଏବଂ କୌଣସି ପରିସ୍ଥିତିରେ ଚାଷୀମାନଙ୍କ ହକ୍ ଉପରେ ଆଞ୍ଚ୍ ନ ଆସିବ, ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମିଲର୍ମାନେ ଯେପରି ଚାଷୀମାନଙ୍କଠାରୁ ଠିକ୍ ଭାବରେ ଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ଯେପରି ଠିକ୍ ସମୟରେ ତାଙ୍କ ପ୍ରାପ୍ୟ ପାଇବେ, ସେଥିପ୍ରତି ଶତପ୍ରତିଶତ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
