ଜିଏସ୍ଟି ହ୍ରାସ ପରେ ଓମ୍ଫେଡ୍ ଦୁଗ୍ଧ, ପନିର, ବଟର, ଘିଅ ଶସ୍ତା ହେଲା
ନବରାତ୍ରି ଅବସରରେ ଦେଶବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ମଝିରାତିରୁ ଭାରତରେ କାର୍ଯ୍ୟକାରୀ ହେଲା ନୂଆ ଜିଏସ୍ଟି । ୩ ସେପ୍ଟେମ୍ବର, ଜିଏସ୍ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ସାରାଦେଶରେ ଲାଗୁ ହୋଇଛି । ୧୨% ଓ ୨୮% ଟ୍ୟାକ୍ସ ସ୍ଲାବ୍ ସମ୍ପୂର୍ଣ୍ଣ ଉଛେଦ୍ଦ କରାଯାଇଥିବା ବେଳେ ଏଣିକି କେବଳ ୫% ଓ ୧୮% ଜିଏସ୍ଟି ରହିଛି । ଅଧିକାଂଶ ସାମଗ୍ରୀର ଦରରେ ବ୍ୟାପକ ହ୍ରାସ ଘଟିଛି । ଫଳରେ ଏହାର ଲାଭ ସିଧାସଳଖ ଗ୍ରାହକଙ୍କ ପାଖକୁ ଯିବ । ଜିଏସ୍ଟିରେ ହୋଇଥିବା ହ୍ରାସକୁ ଦୃଷ୍ଟିରେ ରଖି ଓମ୍ଫେଡ୍ କର୍ତ୍ତପୃକ୍ଷ ବିଭିନ୍ନ ଉତ୍ପାଦ ଦାମ୍ କମ୍ କରିଛନ୍ତି। କମ୍ପାନିର ବିଭିନ୍ନ ପ୍ରକାର ଦୁଗ୍ଧ, ପନିର, ଫ୍ଲେଭର୍ ମିଲ୍କ, ବଟର୍ ଓ ଘିଅ ଦାମ୍ ହ୍ରାସ ପାଇଛି। ନୂତନ ଦର ଆଜିଠାରୁ ଲାଗୁ ହେବ। ଓମ୍ଫେଡ୍ର ୫୦୦ ଏମ୍ଏଲ୍ ଟେଟ୍ରାପ୍ୟାକ୍ର ୟୁଏଚ୍ଟି ଦୁଗ୍ଧ ଦାମ୍ ୨ ଟଙ୍କା କମ୍ ହୋଇ ୩୭ ଟଙ୍କାକୁ ଖସିଆସିଛି। ତାହାର ଏକ ଲିଟର ପ୍ୟାକ୍ ଦାମ୍ ୩ ଟଙ୍କା ହ୍ରାସ ପାଇ ୬୭ ଟଙ୍କା ହୋଇଛି। ପନିର୍ର ୨୦୦ ଗ୍ରାମ ପାଉଚ୍ ଦାମ୍ ୫ ଟଙ୍କା ହ୍ରାସ ୭୫ ଟଙ୍କା ହୋଇଛି ଏବଂ ୫୦୦ ଗ୍ରାମର ଦାମ୍ ୧୦ ଟଙ୍କା ହ୍ରାସ ୧୮୦ ହୋଇଛି। ପନିର (ମିଡିଅମ୍ ଫ୍ୟାଟ୍)ର ୨୦୦ ଗ୍ରାମ ପାଉଚ୍ ଦାମ୍ ୩ ଟଙ୍କା ହ୍ରାସ ୬୭ ଟଙ୍କା ହୋଇଛି ଓ ୫୦୦ ଗ୍ରାମ ପାଉଚ୍ ଦାମ୍ ୫ ଟଙ୍କା ହ୍ରାସ ପାଇ ୧୬୦ ଟଙ୍କା ହୋଇଛି। ସେହିପରି, ଓମ୍ଫେଡ୍ର ଫ୍ଲେଭର୍ ମିଲ୍କ (ଏସ୍ଏଫ୍ଏମ୍)ର ୧୮୦ ଏମ୍ଏଲ୍ ବୋତଲ-ପ୍ଲାଷ୍ଟିକ୍ ଓ ବୋତଲ-ଗ୍ଲାସ୍ ଦାମ୍ ୨ ଟଙ୍କା ଲେଖାଏଁ ହ୍ରାସ ପାଇ ୨୩ ଟଙ୍କା ହୋଇଛି। ଟେବୁଲ୍ ବଟର୍ର ୧୦୦ ଗ୍ରାମ ଦାମ୍ ୩ ଟଙ୍କା ହ୍ରାସ ପାଇ ୫୭ ଟଙ୍କା ଓ ୫୦୦ ଗ୍ରାମ ପ୍ୟାକ୍ ଦାମ୍ ୧୮ ଟଙ୍କା ହ୍ରାସ ପାଇ ୨୭୨ ଟଙ୍କା ହୋଇଛି। ରାସନ ସାମଗ୍ରୀ ଏବଂ କ୍ଷୀର ଉତ୍ପାଦ ଠାରୁ ଆରମ୍ଭ କରି ଟିଭି, ଏସି, ଏବଂ କାର୍ ଏବଂ ବାଇକ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ପରିବର୍ତ୍ତନ ହୋଇ ପୂର୍ବାପେକ୍ଷା ଆଜିଠାରୁ ଶସ୍ତା ହେବ ।
