ଜିନପିଙ୍ଗଙ୍କ ସହ ବୈଠକ ପରେ ୧୦ ପ୍ରତିଶତ ଟାରିଫ କମାଇଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ୬ବର୍ଷ ପରେ ସାକ୍ଷାତ କରିଥିଲେ। ଗୁରୁବାର ଦକ୍ଷିଣ କୋରିଆର ବୁସାନରେ ଦୁହେଁ ସାକ୍ଷାତ କରି ବୈଠକ କରିଥିଲେ। ବୈଠକ ପରେ ଟ୍ରମ୍ପ, ଜିନ୍ପିଙ୍ଗଙ୍କୁ ମହାନ ନେତା କହିଥିବା ବେଳେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନା ଉପରୁ ୧୦ ପ୍ରତିଶତ ଶୁଳ୍କ ହ୍ରାସ କରିଛନ୍ତି। ଟ୍ରମ୍ପ ପୂର୍ବରୁ ଫେଣ୍ଟାନିଲ୍ ଔଷଧର ରାସାୟନିକ ଉପାଦାନଗୁଡ଼ିକର ପ୍ରବାହକୁ ରୋକିବା ପାଇଁ ଚୀନ ସାମଗ୍ରୀ ଉପରେ ୨୦ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଜିନପିଙ୍ଗଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଟାରିଫକୁ ୧୦ ପ୍ରତିଶତକୁ କମାଇବାର ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ କହିଛନ୍ତି ୟୁକ୍ରେନରେ ଯୁଦ୍ଧ ସମାଧାନ କରିବାର ପ୍ରସଙ୍ଗରେ ଏକାଠି କାମ କରିବ ପାଇଁ ଜିନପିଙ୍ଗ ରାଜି ହୋଇଛନ୍ତି । ଟ୍ରମ୍ପ କହିଛନ୍ତି ଚୀନ ରାଷ୍ଟ୍ରପତି ଆମେରିକାକୁ ସାହାଯ୍ୟ କରିବେ ଏବଂ ୟୁକ୍ରେନ ବିଷୟରେ ଏକାଠି କାମ କରିବେ । ଜିନପିଙ୍ଗ୍ ସହିତ ତାଙ୍କ ବୈଠକକୁ ବଡ଼ ସଫଳତା ବୋଲି କହିଛନ୍ତି ଟ୍ରମ୍ପ । ଟ୍ରମ୍ପ ୨୦୨୬ ଏପ୍ରିଲରେ ଚୀନ ଗସ୍ତ କରିବେ ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି । ଗୁରୁବାର ଦୁଇ ନେତା ବୁସାନରେ ସାକ୍ଷାତ କରିବା ସମୟରେ ହାତ ମିଳାଇଥିଲେ ଏବଂ ହସିଥିଲେ, ଏବଂ କ୍ୟାମେରା ଆଗରେ ପୋଜ୍ ଦେଇଥିଲେ ।

 
			