ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିବାକୁ ପହଞ୍ଚିଥିଲା ଛେଳିଛୁଆ!

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥାଏ । ହଠାତ୍‌ ଜଣେ ବ୍ୟକ୍ତି ବ୍ୟାଗ୍‌ରେ ଏକ କଳା ରଙ୍ଗର ଛେଳି ଛୁଆ ନେଇ ସେଠି ପହଞ୍ଚିଲେ । କହିଲେ, ‘ସାର୍‌ ମୋ ଘର ଉପରେ ୧୧ କେଭି ବିଜୁଳି ତାର ଯାଇଛି । ଏହାର ସଂସ୍ପର୍ଶରେ ଆସି ମୋର ୩ଟି ଛେଳି ମରି ସାରିଲେଣି । ଏବେ ଏଇ ଗୋଟାକୁ ଆପଣ ବଞ୍ଚାଇ ଦିଅନ୍ତୁ ।ତେଣୁ ଛେଳିର ମାଲିକ ନିଆଳି ଅଠାନ୍ତରର ବିଷ୍ଣୁଚରଣ ‌ବେହେରା ଏହାକୁ ଏକ ବ୍ୟାଗ୍‌ରେ ନେଇ ଜିଲ୍ଲାପାଳଙ୍କ ଜନଶୁଣାଣିରେ ପହଞ୍ଚିଥିଲେ। ଏଭଳି ଦୃଶ୍ୟ ଦେଖି ସେଠାରେ ଥିବା ଅଧିକାରୀ ଓ ଅନ୍ୟ ଅଭିଯୋଗକାରୀ ଚକିତ ହୋଇଯାଇଥିଲେ।ଖବର ମୁତାବକ, ନିଆଳି ବାହାରଣା ପଞ୍ଚାୟତର ଅଠାନ୍ତର ଗ୍ରାମର ବିଷ୍ଣୁ କୁମାର ବେହେରା(୪୯) ଛେଳି ଚାଷ କରନ୍ତି । ଗାଁରେ ତାଙ୍କର ଏକ ମହଲା ବିଶିଷ୍ଟ ଏକ ଛାତ ଘର ରହିଛି । ବିଷ୍ଣୁଙ୍କ ଘର ଉପରେ ୧୧ କେଭି ବିଦ୍ୟୁତ ତାର ଯାଇଛି । ବିଷ୍ଣୁଙ୍କ କହିବା କଥା, ଛେଳିମାନେ ଶିଡ଼ି ଘର ରାସ୍ତାରେ ଛାତ ଉପରକୁ ଯାଇ ଉଚ୍ଚଶକ୍ତି ସଂପନ୍ନ ବିଜୁଳି ତାର ସଂସ୍ପର୍ଶରେ ଆସି ମରିଯାଉଛନ୍ତି । ପୂର୍ବରୁ ତାଙ୍କର ତିନୋଟି ଛେଳି ଏଭଳି ଭାବେ ମରିସାରିଛନ୍ତି । ଏ ବାବଦରେ ବିଦ୍ୟୁତ ବିଭାଗକୁ ଅଭିଯୋଗ କରିବା ସତ୍ତେ୍ୱ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ତେଣୁ ତାଙ୍କ ଘର ପାଖରେ ବିଦ୍ୟୁତ ଖୁଣ୍ଟ ପକାଇଦେଲେ ତାର ଉପରକୁ ଉଠିଯିବ, ଯାହାଫଳରେ ଆଉ ସମସ୍ୟା ରହିବ ନାହିଁ କି ଜୀବନହାନି ହେବନି । ବିଷ୍ଣୁଙ୍କ ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ହାଜର ହୋଇ ଏହା ଜଣାଇଥିଲେ । ସାଙ୍ଗରେ ଛେଳିକୁ ଧରି ଆସିଥିଲେ । ବ୍ୟାଗ୍‌ରେ ଛେଳିକୁ ପୂରାଇ ଜିଲ୍ଲାପାଳଙ୍କୁ ଛେଳିର ଜୀବନ ରକ୍ଷା ପାଇଁ ନିବେଦନ କରିଥିଲେ ।