ଜୁନ୍ ୨୯ ସୁଦ୍ଧା ୧୪ କୋଟି ନଦେଲେ ଯିବେ ଜେଲ୍‌

ବଲିଉଡ଼ ଅଭିନେତା ରାଜପାଲ ଯାଦବଙ୍କ ସମସ୍ୟା ପୁଣି ଥରେ ବଢିବାକୁ ଯାଉଛି। ଚେକ୍ ବାଉନ୍ସ ହେବା ମାମଲାରେ ମେ’ ୨୯ ତାରିଖରେ ଦିଲ୍ଲୀର କଡ଼କଡ଼ଡୁମା ଅଦାଲତ ରାଜପାଲଙ୍କୁ ଜୁନ୍‌ ୨୯ ସୁଦ୍ଧା ପ୍ରାୟ ୧୪ କୋଟି ଟଙ୍କା ଜମା କରିବାକୁ ନିର୍ଦେଶ ଦେଇଛନ୍ତି।ଯଦି ରାଜପାଲ କୋର୍ଟଙ୍କ ଆଦେଶ ପାଳନ ନ କରନ୍ତି ତେବେ ତାଙ୍କୁ ଜେଲ ଯିବାକୁ ପଡିପାରେ। ତେବେ ମାମଲାରେ ରାଜପାଲ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ମୂରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ତଥା ଉଦ୍ୟୋଗପତି ମାଧୋଗୋପାଲ ଅଗ୍ରୱାଲ କହିଛନ୍ତି ଯେ ରାଜପାଲ ୨୦୧୦ ମସିହାରେ ଫିଲ୍ମ ‘ଆତା ପତା ଲାପତା’ ନିର୍ମାଣ ନିମନ୍ତେ ତାଙ୍କଠାରୁ ସୁଧକୁ ୫ କୋଟି ଟଙ୍କା ନେଇଥିଲେ। ଏବେ ଏହି ଉଧାର ରାଶି ସୁଧ ସମେତ ୧୦ କୋଟି ଟଙ୍କାକୁ ପହଞ୍ଚି ଯାଇଛି।

ତେବେ ଅନେକ ବାର କହିବା ପରେ ରାଜପାଲ ୫ କୋଟି ଟଙ୍କାର ଚେକ୍‌ ଦେଇଥିଲେ, ଯାହା ପରେ ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା। ଏହା ପରେ ମୂରଲୀ ପ୍ରୋଜେକ୍ଟସ୍ ରାଜପାଲଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲା। ଏହି ମାମଲାରେ ରାଜପାଲଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା। ଦିଲ୍ଲୀର କଡ଼କଡ଼ଡୁମା ଅଦାଲତରେ ମେ’ ୨୯ରେ ଏହି ମାମଲାର ଶୁଣାଣି ହୋଇଥିଲା। ଅଦାଲତ ରାଜପାଲ ଯାଦବଙ୍କୁ ୩୦ ଦିନ ମଧ୍ୟରେ ପ୍ରାୟ ୧୪ କୋଟି ଟଙ୍କା ତାଙ୍କୁ ଦେବାକୁ ନିର୍ଦେଶ ଦେଇଥିଲେ। ମାଧୋଗୋପାଲଙ୍କ ଅନୁଯାୟୀ, ରାଜପାଲଙ୍କୁ ଏହି ରାଶି ନଦେଲେ ତିନିମାସ ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପର୍ଯ୍ୟନ୍ତ ତାଙ୍କୁ ଟଙ୍କା ମିଳିନାହିଁ।