ଝିଅ ପାଇଁ ଯୋଦ୍ଧା ସାଜିଲେ ଦିବ୍ୟାଙ୍ଗ ମହିଳା
ଶରୀର ତାଙ୍କର ଭିନ୍ନକ୍ଷମ ସତ, କିନ୍ତୁ ଜୀବନ ଯୁଦ୍ଧରେ ସେ ଜଣେ ଦିଗବିଜୟୀ ଯୋଦ୍ଧା । ସିଏ ହାରିବା ଜାଣି ନାହାଁନ୍ତି, ଡରିବା ଶିଖି ନାହାନ୍ତି । ତେଲଲୁଣ ସଂସାରରେ ଅଭାବ ଥିଲେ ବି ସେ କାହା ସାମ୍ନାରେ କେବେ ହାତ ପତେଇ ନାହାଁନ୍ତି କି ନିଜର ଅସହାୟତା ଦେଖାଇ କାହାର ଦୟା ସାଉଁଟି ନାହାନ୍ତି ।ସ୍ୱାଭିମାନର ସହ ବଞ୍ଚିବେ ଆଉ ଝିଅକୁ ପାଠ ପଢାଇ ମଣିଷ କରିବେ ଏହି ଲକ୍ଷ୍ୟ ନେଇ ସେ ଜୀବନରେ ଆଗେଇ ଚାଲିଛନ୍ତି । ହରିୟାଣା ଫରିଦାବାଦ ଜିଲ୍ଲାର ହରେକଶ ନଗର କଲୋନୀରେ ରହୁଥିବା ୩୭ ବର୍ଷୀୟ ଭିନ୍ନକ୍ଷମ ସୋନିଆ।ସୋନିଆ ଶାରୀରିକ ଭିନ୍ନକ୍ଷମ । ତାଙ୍କର ଗୋଟିଏ ଗୋଡ ଖରାପ । ସେ ଠିକ ଭାବେ ଛିଡା ହୋଇ ପାରନ୍ତି ନାହିଁ କି ଚାଲି ପାରନ୍ତି ନାହିଁ । ସୋନିଆଙ୍କ ବୈବାହିକ ଜୀବନ ଆରମ୍ଭରୁ ଏମିତି ସଂଘର୍ଷମୟ ନ ଥିଲା । ପ୍ରାୟ 15 ବର୍ଷ ତଳେ ସେ ବିବାହ କରିଥିଲେ ଅନିଲଙ୍କୁ । ସ୍ୱାମୀ ପାଠ ପଢି ନ ଥିଲେ । ସଫେଇ କାମ କରୁଥିଲେ । ଯାହା ରୋଜଗାର କରୁଥିଲେ ସେଥିରେ ଘର ସଂସାର ସବୁକିଛି ଠିକଠାକ ଚଳୁଥିଲା । କିଛିଦିନ ପରେ ସ୍ୱାମୀ ମଦ ପିଇବାଆରମ୍ଭ କଲେ । ତା ପରଠାରୁ ଆରମ୍ଭ ହୋଇଥିଲା ସୋନିଆଙ୍କ ସଂଘର୍ଷ । ଘର ଚଳାଇବା ଆଉ ଝିଅକୁ ମଣିଷ କରିବା ପାଇଁ ରାସ୍ତାକୁ ଓହ୍ଲଇଲେ ସୋନିଆ । ଏ ସଂଘର୍ଷର ସାଥୀ ଥିଲା ତାଙ୍କର ଇ-ରିକ୍ସା । ଫାଇନାନ୍ସରେ ଏକ ଇ-ରିକ୍ସା ଆଣି ଚଲେଇଲେ । ସକାଳ ୭ ଟାରୁ ଗାଡି ଧରି ସେ ବାହାରି ଆସନ୍ତି , ସଂନ୍ଧ୍ୟା ୭ଟା ଯାଏ ଗାଡି ଚଲାନ୍ତି । ମଝିରେ କିଛି ସମୟ ଘରକୁ ଖାଇବା ପାଇଁ ଆସିଥାନ୍ତି । ଏଥିରୁ ତାଙ୍କୁ ଦିନକୁ ୪୦୦ ରୁ ୫୦୦ ଟଙ୍କା ମିଳି ଯାଇଥାଏ ।
ଯେଉଁଥିରେ ତାଙ୍କ ଘର ଚଳେ । ୧୩ ବର୍ଷର ଝିଅ ତାଙ୍କର ୮ମ ଶ୍ରେଣୀରେ ପଢୁଛି । ତାକୁ ପାଠ ପଢାଇବେ ମଣିଷ କରିବେ-ଏଇ ଇଚ୍ଛାଶକ୍ତି ହିଁ ତାଙ୍କୁ କାମ କରିବାକୁ ବଳ ଯୋଗାଇଥାଏ ।ନିଜ ସଂଘର୍ଷର କାହାଣୀ ବର୍ଣ୍ଣନା କରି ସୋନିଆ କହନ୍ତି, ‘ପ୍ରଥମେ ଇ-ରିକ୍ସା ଚଲାଇବା ଶିଖିଲି । ଏବେ ଦୁଇ ବର୍ଷ ହେବ ରାସ୍ତାରେ ସେ ଗାଡି ଚଲାଉଛି । କାମ କଲାବେଳେ ଅନେକ ପ୍ରତିବନ୍ଧକ ଆସେ । ସ୍ତ୍ରୀ ଲୋକ ହେଇ ଗାଡି କଣ ଚଲଉଛୁ ବୋଲି କହି ଅନେକ ମତେ ଗାଡି ରଖିବାକୁ ଦିଅନ୍ତି ନାହିଁ । ତଥାପି ମୁଁ ଅଟକିନି । ତେବେ ଗାଡି ଚଲାଇବାବେଳେ ଟ୍ରାଫିକ ପୋଲିସ ବହୁତ ସହଯୋଗ କରନ୍ତି’ ବୋଲି କହନ୍ତି ସୋନିଆ ।ସୋନିଆ କହନ୍ତି, ‘ଅନେକ ସମୟରେ ଅଟୋ ଷ୍ଟାଣ୍ଡରେ ଯାତ୍ରୀଙ୍କୁ ନେଇ ଗଣ଼୍ଡଗୋଳ ହୁଏ । ହେଲେ ମୁଁ ତା ଭିତରେ ପଶେନି । ଯେଉଁଦିନ ଯେତିକି ଯାତ୍ରୀ ମିଳିଲେ ତାକୁ ନେଇ ମୁଁ ଖୁସି । ସବୁଦିନ ସମାନ ଯାଏ ନାହିଁ । ଭଗବାନ ଦିନା ନା ଦିନେ ମୋ ଦୁଃଖ ଶୁଣିବେ-ଏହି ବିଶ୍ୱାସରେ ମୁଁ ଚାଲିଛି ।’ତେବେ ସୋନିଆଙ୍କ ପାଖରେ ଭିନ୍ନକ୍ଷମ ସାର୍ଟିଫିକେଟ ଅଛି । ହେଲେ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ସେ ପାଉ ନାହାଁନ୍ତି । ଏପରିକି ଭିନ୍ନକ୍ଷମ ପେନସନ ବି ତାଙ୍କୁ ମିଳୁନି । ଏନେଇ ସହାୟତା ଯୋଗାଇ ଦେବା ପାଇଁ ସେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।
