ଟାରିଫ୍‌ ଧମକ ମଧ୍ୟରେ ସମୁଦ୍ରରେ ଭାରତର ଶକ୍ତି ବଢ଼ାଇବେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ସଂପର୍କରେ ଏବେ କିଛିଟା ଖଟା ରହିଛି । ତେବେ ଗତ କିଛି ଦିନ ହେଲା ସ୍ଥିତିରେ କିଛିଟା ଉନ୍ନତି ଆସିଛି ।। ଟ୍ରମ୍ପଙ୍କ ଟାରିଫ ଧମକ ମଧ୍ୟରେ ଦୁଇ ଦେଶ ପ୍ରତିରକ୍ଷା ଦିଗରେ ଆଗକୁ ବଢ଼ିବାକୁ ଯୋଜନା କରିଛନ୍ତି । ଭାରତୀୟ ନୌସେନା ପାଇଁ ୬ଟି ଅତିରିକ୍ତ P-8I ସାମୁଦ୍ରିକ ପାଟ୍ରୋଲ ବିମାନ ପାଇଁ ୪ ବିଲିୟନ୍‌ ଡଲାରର ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇଛି। ଏଥିପାଇଁ ଏକ ଆମେରିକୀୟ ପ୍ରତିନିଧି ଦଳ ସେପ୍ଟେମ୍ବର ୧୬ ରୁ ୧୯ ମଧ୍ୟରେ ଦିଲ୍ଲୀ ପହଞ୍ଚିବେ । ଏହି ପ୍ରତିନିଧିମଣ୍ଡଳୀରେ ଆମେରିକା ପ୍ରତିରକ୍ଷା ବିଭାଗ ଏବଂ ବୋଇଂର ଅଧିକାରୀମାନେ ସାମିଲ ହେବେ । ଏହା ବ୍ୟତୀତ ନୀତି ପାଇଁ ପ୍ରତିରକ୍ଷା ସଚିବଙ୍କ କାର୍ଯ୍ୟାଳୟ, ନୌସେନା କାର୍ଯ୍ୟାଳୟ (NIPO), ସାମୁଦ୍ରିକ ପାଟ୍ରୋଲ୍ ଏବଂ ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି (DSCA)ର ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ । ଏନଆଇପିଓ ବିଶ୍ୱ ସାମୁଦ୍ରିକ ସହଭାଗୀତା ପରିଚାଳନା କରୁଥିବା ବେଳେ ପିଏମଏ ବିମାନ ଅଧିଗ୍ରହଣ କରେ।ଏହି ବିମାନ ଭାରତୀୟ ନୌସେନା ପାଖକୁ ଆସିବା ପରେ ନୌସେନାର ଶକ୍ତି ବୃଦ୍ଧି ପାଇବ । ବିଶେଷକରି ଭାରତ ମହାସାଗରରେ ଏହାର ପାଟ୍ରୋଲିଂ ଦକ୍ଷତା ବୃଦ୍ଧି ପାଇବ ।