ଟେଲି ଅଭିନେତା ଋତୁରାଜ୍‌ ସିଂଙ୍କ ଦେହାନ୍ତ

ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହ(୫୯)ଙ୍କ ପରଲୋକ ଘଟିଛି। ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ତ୍ତମାନର ଲୋକପ୍ରିୟ ଟେଲିଭିଜନ ଶୋ ଅନୁପମାରେ ରିତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତାଙ୍କର ହଠାତ୍‌ ପରଲୋକ ହେବାର ଖବର ଶୁଣିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସେ ୧୯୯୩ରେ ଟିଭିରେ ଡେବ୍ୟୁ କରିଥିବା ବେଳେ ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍, ଅଦାଲତ’, ‘ଦିଆ ଔର ବାତି ହମ୍’ ଭଳି ଅନେକ ଭାରତୀୟ ଟିଭି ସୋ’ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ।ଏହି ଅଭିନେତା ଅନେକ ଲୋକପ୍ରିୟ ଟିଭି ଶୋ’ର ଏକ ଅଂଶ ଥିଲେ ଏବଂ ତାଙ୍କର ବଳିଷ୍ଠ ଅଭିନୟ ସହିତ ଲୋକଙ୍କ ହୃଦୟକୁ ଜିତି ଚାଲିଥିଲେ।

ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଋତୁରାଜ ସିଂଙ୍କ ସମ୍ପୂର୍ଣ୍ଣ ନାମ ଥିଲା ଋତୁରାଜ ସିଂ ଚନ୍ଦ୍ରାବତ ସିସୋଦିଆ। ସେ ରାଜସ୍ଥାନର କୋଟାରେ ସିସୋଦିଆ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ଋତୁରାଜ ସିଂ ଦିଲ୍ଲୀରେ ତାଙ୍କର ପାଠପଢ଼ା ସମାପ୍ତ କରି ୧୯୯୩ରେ ମୁମ୍ବାଇ ଆସିବା ସହ ଅଭିନୟରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।ଲୋକପ୍ରିୟ ଟିଭି ଶୋ’ ‘ଅନୁପମା’ରେ ଋତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା।