ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର
ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଯାନବାହନ ମାଲିକ ଓ ଚାଳକମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ରିହାତି ଘୋଷଣା କରିଛନ୍ତି। ମୋଟର ଯାନ ଆଇନ୍, ୧୯୮୮ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ଉଲ୍ଲଂଘନ କ୍ଷେତ୍ରରେ ପଡ଼ି ରହିଥିବା ଜରିମାନା ରାଶିକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସୁବିଧା ଜୁଲାଇ ୩୧, ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ।ସଂଶୋଧିତ ହାର ଅନୁଯାୟୀ, ବିନା ପରମିଟରେ ଯାନ ବ୍ୟବହାର କରିବା ଉପରେ ୧୦,୦୦୦ ଟଙ୍କା ବଦଳରେ ୫,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ।
ସେହିପରି ଅନୁମତିପ୍ରାପ୍ତ ଓଜନଠାରୁ ଅଧିକ ଓଜନର ଗାଡ଼ି ଚଲାଇବା ପାଇଁ ୨୦,୦୦୦ ଟଙ୍କା ପରିବର୍ତ୍ତେ ୧୦,୦୦୦ ଟଙ୍କା ଏବଂ ଅଧିକ ଲୋଡ୍ ପାଇଁ ପ୍ରତି ଟନ୍ ୨,୦୦୦ ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ। ତେବେ ଯେଉଁ ଚାଲାଣଗୁଡ଼ିକ ସମ୍ପର୍କରେ କୋର୍ଟରେ ପ୍ରସିକ୍ୟୁସନ୍ ରିପୋର୍ଟ (PR) ଦାଖଲ କରାଯାଇଛି, ସେଗୁଡ଼ିକ ଏହି ଯୋଜନାର ପରିସରଭୁକ୍ତ ହେବ ନାହିଁ।ଏହି ନିଷ୍ପତ୍ତି ପଡ଼ିରହିଥିବା ଟ୍ରାଫିକ୍ ଚାଲାଣର ବାକି ପରିମାଣକୁ କମାଇବା ଏବଂ ସ୍ୱେଚ୍ଛାକୃତ ଭାବେ ନିୟମ ପାଳନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ନିଆଯାଇଛି।
