ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି।

କଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁଡାଇ ତୁଡାଇ ପଚରାଉଚରା ଏବଂ ଜେରା କରୁଛି ସିବିଆଇ। ଏହା ପୂର୍ବରୁ ସର୍ବୋଚ୍ଚ ଅଦାଲତ ଜୁନିଅର ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଏବଂ ଡାକ୍ତରଖାନାରେ ଭଙ୍ଗାରୁଜା ମାମଲାରେ ସମସ୍ତ ତଥ୍ୟ ମଗାଇ ଏହାର ଅନୁଧ୍ୟାନ କରିଛନ୍ତି। ଏହି ଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହାକୁ ସର୍ବୋଚ୍ଚ ଅଦାଲତ ମଧ୍ୟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ତେବେ କଲକାତାରେ ଡେରା ପକାଇଛି ସେଣ୍ଟ୍ରାଲ ଫରେନସିକ୍ ସାଇନ୍ସ ଲାବ୍ରୋଟୋରୀ ବା ସିଏଫଏସଏଲ୍ ର ୫ ଜଣିଆ ଟିମ୍। ମାମଲାରେ କଲକାତା ପୁଲିସ୍ ଗିରଫ କରିଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ଆଜି ହେବ ପଲିଗ୍ରାଫ୍ ଟେଷ୍ଟ।

କଲକାତା ହାଇକୋର୍ଟରୁ ଅନୁମତି ମିଳିବା ପରେ ଏ ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଛି। ଅଗଷ୍ଟ ୯ତାରିଖରେ କୋଲକାତାର ଆରଜି କର କଲେଜ ଓ ହସ୍ପିଟାଲର ଏକ ସେମିନାର ହଲରେ ଟ୍ରେନି ଡାକ୍ତର ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହାକୁ ନେଇ ୧୮ ତାରିଖରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ସେପଟେ ଘଟଣାରେ ଆଜି ନିଜ ଆଡୁ ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ।