ଢେଙ୍କାନାଳ ର ପ୍ରସିଦ୍ଧ ଶୈବପୀଠ କପିଳାସ



ଇଶ୍ଵର ଙ୍କ ସୃଷ୍ଟିରେ କପିଳାସ ଏକ ଅନନ୍ୟ ଶୈବପୀଠ। ଲୋକକଥା ଅନୁସାରେ ମହା ଶିବରାତ୍ରିର ମହାନିଶାରେ ଭଗବାନ ଶିବଙ୍କ ନିତ୍ୟ ଲୀଳା କ୍ଷେତ୍ର କପିଳାସରେ ‌ପ୍ରଥମେ ସଦାଶିବ ଆବିର୍ଭୁତ ହୋଇଥିଲେ।ଆଦି କାଳରୁ ଆବିର୍ଭୁତ ଶିବଶଙ୍କର ଙ୍କର ଆଦ୍ୟ ସେବକ ହେଉଛନ୍ତି ଶବରମାନେ। ଏହି ବିଷୟରେ ଏକ ଉପାଖ୍ୟାନ ରହିଛି।
ଶିବା ନାମକ ଏକ ଶବର କୈାଣସି କାରଣରୁ ରାତିରେ ଘରକୁ ଫେରି ନପାରି ଗୋଟିଏ ବେଲଗଛ ଉପରେ ଚଢ଼ି ରହିଥିଲା। ସଂଯୋଗ କ୍ରମେ ସେହି ବେଲ ବୃକ୍ଷଟି ଶିବ ଲିଙ୍ଗ ଙ୍କ ନିକଟରେ ଥିଲା ଓ ସେଦିନ ମଧ୍ୟ ଥିଲା ଶିବରାତ୍ରି।ଶିବା ସେଦିନ ନିଶାର୍ଦ୍ଧରେ ଦେବଗଣମାନେ ସ୍ଵର୍ଗରୁ ଓହ୍ଲାଇ ବିବିଧ ଉପଚାରରେ ଶିବଲିଙ୍ଗ ଙ୍କର ପୂଜା କରୁଥିବାର ଦେଖିଲା। ଦେବ ଗଣଙ୍କ ପୂଜା ସରିବା ପରେ ସେମାନେ ବିଦାୟ ନେଲେ।ଶିବା ବୃକ୍ଷରୁ ଓହ୍ଲାଇ ଶିବଲିଙ୍ଗ ଙ୍କୁ ଛୁଇଁ ମୁଣ୍ଡିଆ ମାରିଲେ।ଶିବଗଣ ତାଙ୍କୁ ଏକ ଦିବ୍ୟ ବିମାନରେ ଶିବଲୋକକୁ ନେଇଗଲେ।ଏ ଖବର ପ୍ରଚାରିତ ହେବା ପରେ ଶବର ସେବକମାନେ ଶାବରୀ ରୀତିନୀତି ଅନୁସାରେ ମହାପ୍ରଭୁ ଚନ୍ଦ୍ରଶେଖରଙ୍କ ପୂଜା କଲେ। ମନ୍ଦିର ନିର୍ମାଣ ହେବାପରେ ଶାବରୀ ରୀତିନୀତି ସହିତ ବୈଷ୍ଣବ, ବୈଦିକ, ଶୈବ ଓ ନାଥ ଧାରା ସହ ମିଶି ସମନ୍ଵୟାତ୍ମକ ଧାରାରେ କପିଳାସରେ ଶିବରାତ୍ରି ପାଳନ ହେଉଛି ବୋଲି ବିଶିଷ୍ଟ ଗବେଷକ ଡଃ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ମତ।
ଢେଙ୍କାନାଳ ସହରରୁ ପ୍ରାୟ ୨୫ କି.ମି.ଦୂର ଉତ୍ତର ପୂର୍ବ ଦିଗରେ ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉଚ୍ଚତାରେ ଅବସ୍ଥିତ ଶ୍ରୀ ଚନ୍ଦ୍ରଶେଖରଙ୍କ ପ୍ରସିଦ୍ଧ ମନ୍ଦିର। ପୂର୍ବରୁ ୧୩୫୨ ପାହାଚ ଚଢି ମାଙ୍କଡ ମାନଙ୍କ ପ୍ରତି ସତର୍କ ରହି ଭକ୍ତ ମାନେ ଯାଉଥିବା ବେଳେ ଏବେ ଅଧିକାଂଶ ଭକ୍ତ ବାରବାଙ୍କି ଘାଟି ରାସ୍ତାରେ ଯାନବାହାନ ସାହାଯ୍ୟରେ ଯାଉଛନ୍ତି। ଚନ୍ଦ୍ରଶେଖରଙ୍କ ସହିତ ଏଠାରେ ଆହୁରି ପୁରାତନ ବିଶ୍ଵନାଥ ମନ୍ଦିର ଅବସ୍ଥିତ।ଶ୍ରୀ ଚନ୍ଦ୍ରଶେଖରଙ୍କ ମନ୍ଦିର ବାମ ପାଖରେ ପୟମାର୍ତ୍ତ କୁଣ୍ଡ ଓ ଡାହାଣ ପାଖରେ ମରିଚି କୁଣ୍ଡ ରହିଛି।
୧୨୪୬ ଖ୍ରୀଷ୍ଟାବ୍ଦ ଏପ୍ରିଲ ୩୦ ତାରିଖ, ବୈଶାଖ ମାସରେ ଗଙ୍ଗବଂଶୀୟ ରାଜା ପ୍ରଥମ ନରସିଂହ ଦେବ, ଶ୍ରୀ ଚନ୍ଦ୍ରଶେଖରଙ୍କ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ।
ଅନେକ ପୈାରାଣିକ ଉପାଖ୍ୟାନ ସହିତ ଜଡିତ ଏହି ପୀଠ। ଶ୍ରୀରାମ ଙ୍କ ଦ୍ଵାରା ମା ଜାନକୀ ଙ୍କ ନିର୍ବାସନ କାଳରେ ବାଲ୍ମୀକି ଆଶ୍ରମରେ ଲବକୁଶ ସହିତ ରହିବା ସ୍ଥାନ ଏଠାରେ ଅଛି ବୋଲି ବିଶ୍ବାସ ରହିଛି। କେତେକଙ୍କ ମତରେ ଏହା ହେଉଛି ଦ୍ଵିତୀୟ କୈଳାସ।

କିମ୍ବଦନ୍ତୀ ଅନୁସାରେ ମୟୁରଭଞ୍ଜ ମହାରାଜା ପ୍ରତାପ ଦେବ, ବ୍ରହ୍ମ ହତ୍ୟା ପାପରୁ ମୁକ୍ତି ପାଇବା ପାଇଁ ଏଠାରେ ଏକ ମଣ୍ଡପ ତିଆରି କରି ଶିଖରେଶ୍ଵରଙ୍କୁ ଧ୍ୟାନ ରଖି କଠୋର ତପସ୍ୟା କରିଥିଲେ। ତପସ୍ୟା ମଣ୍ଡପ ନିକଟରେ ଗୋଟିଏ ପଥରକୁ ଆଘାତ କଲେ, ତାହା ଭିତରଟା ଫମ୍ପା ଥିବା ପରି ଶବ୍ଦ ହେଉଥିବା ଅନେକ ଭକ୍ତଙ୍କ ଠାରୁ ପ୍ରକାଶ।
ଶ୍ରୀମଦ୍ ଭାଗବତର ପ୍ରସିଦ୍ଧ ଟୀକାକାର ଶ୍ରୀଧର ଗୋସ୍ୱାମୀ ଏଠାରେ କିଛି କାଳ ବାସ କରି ଭାଗବତର ଟୀକା କରିଥିଲେ।କପିଳ ମୁନି କପିଳ ସଂହିତା ରଚନା କରିଥିଲେ। ମହିମା ଧର୍ମର ପ୍ରତିଷ୍ଠାତା ମହିମା ସ୍ବାମୀ ଏଠାରେ ସିଦ୍ଧିଲାଭ କରି ମହିମା ଧର୍ମର ପ୍ରଚାର କରିଥିଲେ। ଶ୍ରାବଣ ମାସରେ ପ୍ରତ୍ୟେକ ବର୍ଷ ଜଳାଭିଷେକ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଏହି ପୀଠର ବୈଶିଷ୍ଟ୍ୟ।

କପିଳାସ ହେଉଛି ହରି ଓ ହର ଙ୍କର ନିତ୍ୟ ଲୀଳା କ୍ଷେତ୍ର।ଶ୍ରୀଚନ୍ଦ୍ରଶେଖର ଙ୍କ ମନ୍ଦିର ଗମ୍ଭିରାରେ ପାତାଳଭେଦୀ ସ୍ଵୟଂଶିବ ଓ ଶକ୍ତି ଙ୍କର ପଶ୍ଚିମ ପାର୍ଶ୍ଵରେ ମହାବିଷ୍ଣୁ ବୃହତ ଶାଳଗ୍ରାମ ରୂପେ ବିରାଜିତ। ତାଙ୍କୁ ଶେଷ ନାଗ ଅନନ୍ତ ବେଷ୍ଟନ ଓ ଆଚ୍ଛାଦିତ କରିଛନ୍ତି। ମନ୍ଦିରର ପଶ୍ଚିମ ପାର୍ଶ୍ବ କାନ୍ଥରେ ଶ୍ରୀଜଗନ୍ନାଥ, ପାର୍ବତୀ ମନ୍ଦିରରେ ଶ୍ରୀନୃସିଂହ ଓ ପୂର୍ବଦିଗର ସ୍ଵଳ୍ପ ଦୂରରେ ଗଙ୍ଗା ନାରାୟଣ ଙ୍କ ମନ୍ଦିର ଅବସ୍ଥିତ।
ଶିବରାତ୍ରି ସମୟରେ ବିଶ୍ଵନାଥ ମନ୍ଦିର ନିକଟସ୍ଥ ଯଜ୍ଞମଣ୍ଡପରେ ଯଜ୍ଞ ଅନୁଷ୍ଠିତ ହୁଏ। ମନ୍ଦିର ଗମ୍ଭିରାରେ ପୀଠ ପୁରୋଧା,ରାଜ ପୁରୋଧା, ପୂଜା ପଣ୍ଡାଙ୍କ ସମେତ ସତେଇଶ ଶାସନର ପଞ୍ଚପୁରୋଧା ମାନେ ବିଶେଷ ପୂଜାପାଠ କରିଥାନ୍ତି ଏବଂ ଏଥିପାଇଁ ଶବର ସେବକ ଚିନ୍ତାପତ୍ରି ମାନେ ସର ଘରୁ ପୂଜା ସାମଗ୍ରୀ ଆଣି ସେମାନଙ୍କୁ ଯୋଗାଇ ଥାଆନ୍ତି।
ଶିବରାତ୍ରିରେ ପ୍ରଭୁ ଚନ୍ଦ୍ରଶେଖର ଓ ଶକ୍ତିଙ୍କ ପୂଜା ଷୋଡ଼ଶ ଉପଚାରରେ ହୁଏ। ପ୍ରତ୍ୟେକ ବେଦର ଚାରିଥର ଓ ଚାରିବେଦର ଷୋହଳ ଥର ପୂଜା ଓ ଅଭିଷେକ ସରିବା ପରେ ମହାସ୍ନାନ କରାଯାଏ। ୧୦୮ ଗୋଟି ପଇଡ ଜଳରେ ଅଭିଷେକ କରାଯାଏ। ଏହାପରେ ପଞ୍ଚମୁଖ ଅର୍ଥାତ୍ ତତ୍ ପୁରୁଷ,ଅଘୋର,ସଦ୍ଯୋଜାତ, ବାମଦେବ ଓ ଇଶାନ ଙ୍କୁ ଅଭିମନ୍ତ୍ରିତ ପଞ୍ଚାମୃତରେ ସ୍ନାନ କରାଯାଏ। ଏହାପରେ ତୀର୍ଥ ଜଳରେ ଶୁଦ୍ଧସ୍ନାନ ପରେ ଘୃତକମ୍ବଳ ଲାଗିହୁଏ।
ଘୃତକମ୍ବଳ ପରେ ନାଗାଭରଣ ବେଶ ଅନୁଷ୍ଠିତ ହୁଏ।

ଭାରତର ଅନ୍ୟ କୋୖଣସି ଶୈବପୀଠରେ କପିଳାସ ଭଳି ନାଗାଭରଣ ବେଶ ଅନୁଷ୍ଠିତ ହୁଏ ନାହିଁ। ପ୍ରଭୁଙ୍କର ଏହି ବେଶ ଅତ୍ୟନ୍ତ ମନୋମୁଗ୍ଧକର ଓ ଆକର୍ଷଣୀୟ। ଢେଙ୍କାନାଳ ର ଦେଓଗାଁ ସରଘର ଠାରୁ ନାଗଭାରରେ ବେଶ ନିମନ୍ତେ ଆଭୂଷଣ ଆସି ଚନ୍ଦ୍ରଶେଖରଙ୍କ ପୀଠରେ ପହଞ୍ଚିବା ଦୃଶ୍ୟ ଅବର୍ଣ୍ଣନୀୟ।ମା ପାର୍ବତୀଙ୍କୁ ମୂଖ୍ୟ ପାଟବସ୍ତ୍ର ସହିତ ସୂବର୍ଣ୍ଣ ନିର୍ମିତ କଙ୍କଣ, ନୂପୁର,ବଳୟ,ଚୁଡ଼ି, ପଦ୍ମମାଳ ଓ କିରୀଟ ଆଦି ମୂଲ୍ୟବାନ ଆଭୂଷଣରେ ରାଜରାଜେଶ୍ଵରୀ ବେଶରେ ସଜ୍ଜିତ କରାଯାଏ।
ମହାଦୀପ ଉଠିବା ପରେ ହରିହର ଭେଟ ଅନୁଷ୍ଠିତ ହୁଏ। ଏହାପରେ ଯୋଗୀ ମହନ୍ତ ମାନଙ୍କ ଦ୍ଵାରା ଶିବ ଉପାସନା ହୁଏ।ଶବର ସେବକ ଚିନ୍ତାପତ୍ରି‌ ମାନେ ସେମାନଙ୍କୁ ବରଣ କରିଥାନ୍ତି।
ନାଥ ସମ୍ପ୍ରଦାୟର ପରମ ଶାସ୍ତ୍ର ଏହି ଠାରେ ହିଁ ଗୋରଖନାଥ ଙ୍କ ଦ୍ଵାରା ରଚିତ ବୋଲି ବିଶ୍ବାସ ରହିଛି। ବିଶ୍ବାସ ରହିଛି ଭଗବାନ ସଦାଶିବ ଏଠାରେ ପ୍ରଥମେ ଆବିର୍ଭୁତ ହୋଇଥିଲେ । ତେଣୁ ଏହା ଶିବଙ୍କର ନିତ୍ୟ ଲୀଳା କ୍ଷେତ୍ର କୈଳାସ ବା କପିଳାସ।
ଶିବରାତ୍ରରେ କପିଳାସରେ ଭକ୍ତ ମାନଙ୍କ ସମାବେଶ ନଦେଖି ଏହା କେତେକ ବର୍ଷ ତିନି ଲକ୍ଷରୁ ଅଧିକ ହୋଇଥିଲା ବୋଲି ବିଶ୍ବାସ କରିବା ହୁଏତ କଷ୍ଟକର ହୋଇପାରେ, କିନ୍ତୁ ଏହାର ସତ୍ୟତା ଅଛି। ବଡ଼ଦାଣ୍ଡ,ପାବଚ୍ଛ ରାସ୍ତା, ମୃଗ ବିହାର ପାର୍ଶ୍ଵ, ଦେଓଗାଁ ଯାତ୍ରା ପଡିଆ, ପାନ୍ଥଶାଳା,ବାରବାଙ୍କ ରାସ୍ତା,ଶିଖତଳ ପ୍ରାନ୍ତର,ହର ଉଦ୍ୟାନ, ବଙ୍ଗଳା ପାର୍ଶ୍ଵ, ବିଶ୍ଵନାଥଙ୍କ ପାବଚ୍ଛ, ନାରାୟଣଙ୍କ ପାବଚ୍ଛ, ଯଜ୍ଞସ୍ଥଳୀ ସର୍ବତ୍ର ଲୋକାରଣ୍ୟ ହୋଇପଡେ। ପାହାଡ଼ ପାଦଦେଶରୁ ଦୀପର ଆଲୋକ ମାଳା, ଆକାଶର ଅସଂଖ୍ୟ ତାରକା ସଦୃଶ ପ୍ରତୀୟମାନ ହୁଏ।
ଶ୍ରୀ ଶ୍ରୀ ଚନ୍ଦ୍ରଶେଖର,ମା ପାର୍ବତୀ ଓ ମହାବିଷ୍ଣୁ ସହିତ ଗଙ୍ଗା ନାରାୟଣଙ୍କର ଅପୂର୍ବ ଦର୍ଶନ କରିବା ଅତ୍ୟନ୍ତ ସୈାଭାଗ୍ୟଦାୟକ।କଳ୍ପଦୃମ ସଦୃଶ୍ୟ କପିଳାସରେ ମହାଶିବରାତ୍ରିରେ ମହାମୃତ୍ଯୁଞ୍ଜୟ ରୂପେ ଭଗବାନ ଶିବଙ୍କ ଦର୍ଶନ ଓ ପୂଜନ କରିବା ଅତ୍ୟନ୍ତ ସୈାଭାଗ୍ୟର କଥା। ଶ୍ରାବଣ ମାସ ସୋମବାରରେ ଏଠାରେ ଜଳଲାଗି କରିବା ପାଇଁ ପ୍ରବଳ ଜନସମାଗମ ହୁଏ।।
ଲେଖକ:: ବାବାଜୀ ଚରଣ ଦାସ ।।
ପଞ୍ଚସଖା ନଗର, ଡୁମୁଡୁମା,ଭୁବନେଶ୍ବର-୧୯