ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୋଧରେ ଜଣେ ସିନେ ପ୍ରଯୋଜକ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରୁଥିବା ନେଇ ସେ ବିଡ଼ାନାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରୀତମ ସାହୁ ଗଲା ୬ ମାସ ହେବ ସୋସିଆଲ୍ ମିଡିଆରେ ମୁହାଁମୁହିଁ ହୋଇ ଆସୁଥିଲେ |ପୁଲିସ ଉଭୟ ପକ୍ଷଙ୍କୁ ଆପୋସ ସମାଧାନ ପାଇଁ କହୁଥିବା ବେଳେ ବୁଦ୍ଧାଦିତ୍ୟ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧାଦିତ୍ୟଙ୍କ ଅଭିଯୋଗ ଅନୁଯାୟୀ ପ୍ରଯୋଜକ ପ୍ରୀତମ ସାହୁ ଗଲା ୭ ମାସ ହେବ ତାଙ୍କ ବିରୋଧରେ ଓ ତାଙ୍କ ମାଉସୀ ତଥା ବର୍ଷୀୟାନ ଅଭିନେତ୍ରୀ ମହେଶ୍ବତା ରାୟଙ୍କ ବିରୋଧରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଥିଲେ। ପ୍ରଯୋଜକ ଜଣଙ୍କ ବୁଦ୍ଧାଦିତ୍ୟଙ୍କ ଅଭିନୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି। ବୁଦ୍ଧାଦିତ୍ୟ କେବଳ ଟେଲିସିନେମା ଓ ସିରିଏଲ କରୁଛନ୍ତି। ଗୁଣାତ୍ମକ ସିନେମାରେ ତାଙ୍କର କୌଣସି ଦଖଲ ନାହିଁ। ସେଥିପାଇଁ ବୁଦ୍ଧାଦିତ୍ୟଙ୍କୁ କାମ ମିଳୁ ନ ଥିବା ନେଇ ପ୍ରଯୋଜକ ଜଣଙ୍କ ଅପପ୍ରଚାର ଚଳାଇଛନ୍ତି।

ସନଲିସାଙ୍କ ସମର୍ଥନରେ ବାହାରିବା ପରଠାରୁ ପ୍ରଯୋଜକ ପ୍ରୀତମ ତାଙ୍କୁ ଟାର୍ଗେଟ୍ କରିଆସୁଥିବା କୁହାଯାଉଛି। ଇନଷ୍ଟାଗ୍ରାମ ଓ ଓଲିଉଡ୍ ପେଜ୍ ୩ ନାଁରେ ଥିବା ହ୍ବାଟସଆପ୍ ଗ୍ରୁପରେ ତାଙ୍କୁ ଟାର୍ଗେଟ୍ କରାଯାଉଛି। ଏହି ଘଟଣାକୁ ନେଇ ବୁଦ୍ଧାଦିତ୍ୟ ଗଲା ୧୫ ଦିନ ତଳେ ବିଡ଼ାନାସୀ ଥାନାରେ ଫେରାଦ ହୋଇଥିଲେ। ସମ୍ପୃକ୍ତ ପ୍ରଯୋଜକଙ୍କୁ ଥାନାକୁ ଡାକି ଘଟଣାର ଆପୋସ ସମାଧାନ କରାଯାଇଛି। ଭବିଷ୍ୟତରେ ସେ ଏଭଳି ସାମାଜିକ ଗଣମାଧ୍ୟମରେ ଲେଖିବେ ନାହିଁ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ବୁଦ୍ଧାଦିତ୍ୟଙ୍କ କହିବା କଥା ଯେଉଁ ସାମାଜିକ ଗଣମାଧ୍ୟମରେ ତାଙ୍କୁ ସମାଲୋଚନା କରାଯାଇଛି, ସେହି ସାମାଜିକ ଗଣମାଧ୍ୟମରେ ସେ ଭବିଷ୍ୟତରେ ଏଭଳି କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦିଅନ୍ତୁ। ତା’ହେଲେ ସମସ୍ତେ ଏ ବିଷୟରେ ଅବଗତ ହୋଇପାରିବେ।