ଦିନେ ପୁଅ ଥିଲେ, ଏବେ ଝିଅ ବନିଗଲେ। ସମୀର ଭାଇରୁ ଏବେ ସମୀରା ମ୍ୟାଡାମ୍ ବନିଗଲେ

ଦିନେ ସେ ପୁଅ ଥିଲେ ଏବେ ହୋଇଯାଇଛନ୍ତି ଝିଅ । ସମୀର ନାୟକରୁ ଏବେ ତାଙ୍କ ପରିଚୟ ସମୀରା ମାଡାମ୍।ଗଞ୍ଜାମ ଖଲ୍ଲିକୋଟରୁ ଦେଖନ୍ତୁ ଜଣେ ଟ୍ରାନ୍ସୱିମେନଙ୍କ ସଂଘର୍ଷ ଆଉ ସଫଳତାର ଭିନ୍ନ କାହାଣୀ।

ହାତରେ ରଙ୍ଗତୂଳୀ… ମନରେ ନୂଆ ପରିକଳ୍ପନା… ଯୌବନ ଭିତରେ ନୂଆ ସମ୍ଭାବନାର ସ୍ୱପ୍ନ ସବୁକୁ ସାଉଁଟି ସତେଯେମିତି ସଜାଇ ଦେଉଛନ୍ତି ସାତ ରଙ୍ଗରେ… ।ସମୀର ପୁଅ ଟିଏ ହୋଇ ଜନ୍ମ ହୋଇଥିଲେ , କିନ୍ତୁ ପାଠ ପଢା ବୟସରେ ଆସିଥିଲା ମନ ଭିତରେ ଅନେକ ପରିବର୍ତ୍ତନ । ବୟସ ବଢିବା ସାଙ୍ଗକୁ ଚାଲିଚଳନ ଓ ଆବଭାବରେ କିଛି ଭିନ୍ନତା ପରିଲକ୍ଷିତ ହୋଇଥିଲା। ପୁଅ ସାଙ୍ଗଙ୍କ ଅପେକ୍ଷା ଝିଅମାନଙ୍କ ସହିତ ବେଶୀ ମିଳାମିଶା କରିବାକୁ ତାଙ୍କୁ ଭଲ ଲାଗୁଥିଲା । ନାରୀ ସୁଲଭ ଗୁଣ ତାଙ୍କ ଭିତରେ ଦେଖା ଦେଇଥିଲା। ଏହା ପରେ ବଦଳି ଯାଇଥିଲା ତାଙ୍କର ଜୀବନର ଦିଗ। ସେ ମୁମ୍ବାଇ ଯାଇ ବ୍ୟୟ ବହୁଳ ଅସ୍ତ୍ରୋପଚାର ମାଧ୍ୟମରେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ ସେ ପୁଅରୁ ଝିଅ ହୋଇଯାଇଛନ୍ତି । ସମୀରରୁ ପାଲଟିଯାଇଛନ୍ତି ସମୀରା।୨୭ ବର୍ଷିୟା ସମୀରାଙ୍କୁ ଏବେ ସହଜ ଲାଗୁଛି ସବୁକିଛି। ଏହି ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ପାଠପଢ଼ୁଥିବାବେଳେ ତାଙ୍କୁ ଭାଇ କିମ୍ବା ସମୀର ଡକାଯାଉଥିଲା, ଏବେ ତାଙ୍କୁ ସ୍ନେହ ଆଉ ଶ୍ରଦ୍ଧାରେ ସମୀରା ମ୍ୟାଡାମ୍ ଡକାଯାଉଛି। ସମୀର ଭାଇରୁ ସମୀରା ମ୍ୟାଡାମ୍। ହୁଏତ ଈଶ୍ୱରଙ୍କ ଆଶୀର୍ବାଦ କୁହାଯାଇପାରେ କିମ୍ବା ଚିକିତ୍ସା ବିଜ୍ଞାନର ଚମତ୍କାରିତା। କିନ୍ତୁ ଏହି ପରିବର୍ତ୍ତନ, ବଦଳୁଥିବା ସମାଜ ଆଉ ଚିନ୍ତାଧାରାକୁ ଦେଇଛି ଭିନ୍ନ ଏକ ବାର୍ତ୍ତା।ସମୀରା ବର୍ତ୍ତମାନ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଇଣ୍ଡିଆନ୍ ପେଣ୍ଟିଂ ବିଭାଗରେ ଅତିଥି ଅଧ୍ୟାପିକା ଭାବେ କାର୍ଯ୍ୟରତ । ଏକଦା ସେହି ମହାବିଦ୍ୟାଳୟରେ ଛାତ୍ର ଭାବେ ପାଠ ପଢୁଥିବା ପୁଅଟିଏ ଆଜି ସେହି କଲେଜରେ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତି ହୋଇଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ବେଶ୍ ଖୁସି ଓ ଗର୍ବ ଅନୁଭବ କରୁଛନ୍ତି। ଅପର ପକ୍ଷରେ ବର୍ତ୍ତମାନ ସମୀରା ଓଡ଼ିଶାର ପ୍ରଥମ ଟ୍ରାନ୍ସ ଓମେନ୍ ଆର୍ଟିଷ୍ଟ ଭାବରେ ନିଜକୁ ଗର୍ବ ଅନୁଭବ କରନ୍ତି । ଆଗକୁ ଯାଇ ଚିତ୍ର କଳା କ୍ଷେତ୍ରରେ ଓଡିଶାର ଟେକ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ସମୀରା ।