ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଟ୍ରକ୍ କ୍ୟାବିନ୍‌ରେ ଦୁଷ୍କର୍ମ ; ଡ୍ରାଇଭର ଗିରଫ  

ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଟ୍ରକ୍ କ୍ୟାବିନ୍‌ରେ ଦୁଷ୍କର୍ମ । ବର୍ଷା ଓ ବିଜୁଳି ଦାଉରୁ ରକ୍ଷା ପାଇଁ ରାଜପଥ କଡ଼ରେ ଆଶ୍ରୟ ନେଉଥିବା ବେଳେ ଟ୍ରକ୍ ଡ୍ରାଇଭର ବଳପୂର୍ବକ ଉଠାଇ ନେଇ ଟ୍ରକ୍ ଭିତରେ ଦୁଷ୍କର୍ମ କରିଛି । ଅଭିଯୁକ୍ତ ଡ୍ରାଇଭର ଗିରଫ ହେବା ପରେ ଘଟଣା ସମ୍ପର୍କରେ ଜଣାଇଛି ପୋଲିସ| କେନ୍ଦୁଝର ସଦର ପୋଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନକୁ ଗିରଫ କରି ଶନିବାର ଭୋର ସମୟରେ ଭଦ୍ରକ ଫେରିଛି ଟାଉନ ପୋଲିସ । ଟ୍ରକ୍‌କୁ ଜବତ କରାଯାଇ ଭଦ୍ରକ ଟାଉନ ଥାନାରେ ରଖାଯାଇଛି।

ଖବରମୁତାବକ, ଦିବ୍ୟାଙ୍ଗ ମହିଳାଙ୍କୁ ପୋଲିସ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାନ୍ଦିଆ ଅଞ୍ଚଳରୁ ଉଦ୍ଧାର କରିବା ପରେ ତାଙ୍କର ଚିକିତ୍ସା କରିଛି । ଅଭିଯୁକ୍ତ ଦୁଷ୍କର୍ମ କରିଥିବା ନେଇ ସ୍ବୀକାର କରିଥିବା ପୋଲିସ ପ୍ରେସ୍‌ନୋଟ୍‌ରେ ସ୍ପଷ୍ଟ କରିଛି । ଏହି ଅପହରଣ ଓ ଦୁଷ୍କର୍ମ ଘଟଣାରେ ବ୍ୟବହାର ହୋଇଥିବା ଟ୍ରକ୍‌କୁ ପୋଲିସ ଜବତ କରିଥିବା ବେଳେ ଅଭିଯୁକ୍ତ ଏମ୍ ଡି ସଦ୍ଦାମ୍ ହୁସେନକୁ ଗିରଫ କରିଛି ।ତେବେ ଟ୍ରକ୍‌ର ମାଲିକ ଚିତ୍ତରଞ୍ଜନ ପ୍ରଧାନ କହିଛନ୍ତି ଯେ, ସଦ୍ଦାମ୍ ହୁସେନର ଘର ବିହାରରେ । ସେ ଝୁମ୍ପୁରା ଅଞ୍ଚଳରେ ପ୍ରାୟ ୩୦ ବର୍ଷ ହେବ ରହୁଥିଲା । ୩ ମାସ ପୂର୍ବରୁ ସେ ତାଙ୍କ ଟ୍ରକ୍ ଚଳାଉଥିଲା ।ତେବେ ଅପହରଣ ଓ ଦୁଷ୍କର୍ମ ପୂର୍ବରୁ ସନ୍ଧ୍ୟା ପ୍ରାୟ ୭ଟା ବେଳେ ମାଲିକଙ୍କୁ କଲ୍ କରି ଟୋଲ୍ ପାଇଁ ଟଙ୍କା ବିଷୟରେ କଥା ହୋଇଥିଲା ଓ ପରେ ଟ୍ରକ୍ ନେଇ ଝୁମ୍ପୁରା ଅଞ୍ଚଳରେ ରଖି ଦେଇଥିଲା । ତେବେ ସେ କହିଛନ୍ତି ଯେ ସେ କୌଣସି ବିଷୟରେ ଅବଗତ ନଥିଲେ ଓ ଅଭିଯୁକ୍ତକୁ ଯଥା ସମ୍ଭବ ଦଣ୍ଡ ଦିଆଯାଉ ।