ଦିଲ୍ଲୀରେ ନୂଆ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ନୂଆ ଓଡ଼ିଶା ଭବନର ଶିଳାନ୍ୟାସ । ଦିଲ୍ଲୀରେ ନୂଆ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଚାଣକ୍ୟପୁରୀ କୌଟିଲ୍ୟ ମାର୍ଗରେ ୭ ମହଲା ବିଶିଷ୍ଟ ହେବ ନୂଆ ଓଡ଼ିଶା ଭବନ । ୪୫ଟି କୋଠରୀ ସହ ଆଧୁନିକ ସମ୍ମିଳନୀ କକ୍ଷ ରହିବ । ଓଡ଼ିଶାର ସାଂସ୍କୃତିକ ଓ ପ୍ରଶାସନିକ କେନ୍ଦ୍ର ଭାବେ କାମ କରିବ ।କଳିଙ୍ଗ ଶୈଳୀରେ ନିର୍ମିତ ହେବ ନୂଆ ‘ଓଡ଼ିଶା ଭବନ’ ।ପୂର୍ବରୁ ଥିବା ପୁରୁଣା ବିଲ୍ଡିଂଟି ଅସୁରକ୍ଷିତ ଘୋଷିତ ହେବା ପରେ ତାହାକୁ ଭାଙ୍ଗି ଦିଆଯାଇଥିଲା। ସେହି ସ୍ଥାନରେ ଏକ ଅତ୍ୟାଧୁନିକ ଓ ଓଡ଼ିଶାର କଳା-ସଂସ୍କୃତିର ଝଲକ ଥିବା ନୂଆ ଭବନ ନିର୍ମାଣ ହେବାକୁ ଯାଉଛି । ପ୍ରାୟ ୦.୪୩ ଏକର ଜମିରେ ୫,୨୮୫ ବର୍ଗ ମିଟର ଅଞ୍ଚଳରେ ଏହା ନିର୍ମିତ ହେବ। ଏହା ଓଡ଼ିଶାର ମନ୍ଦିର ସ୍ଥାପତ୍ୟ କଳା (କଳିଙ୍ଗ ଶୈଳୀ) ଉପରେ ଆଧାରିତ । ଏଥିରେ କୋଣାର୍କ ଚକ୍ର, ପଥର ଖୋଦେଇ କାମ ଏବଂ ଇକତ୍ ଡିଜାଇନର ଛାପ ଦେଖିବାକୁ ମିଳିବ । ଏଥିରେ ୩ଟି ବେସମେଣ୍ଟ, ଗୋଟିଏ ଗ୍ରାଉଣ୍ଡ ଫ୍ଲୋର ଏବଂ ୬ଟି ମହଲା ରହିବ। ଗାଡ଼ି ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।ମୋଟ ୪୫ଟି ରୁମ୍ ରହିବ, ଯେଉଁଥିରେ ସାଧାରଣ ରୁମ୍, ଏଗଜେକ୍ୟୁଟିଭ୍ ରୁମ୍ ଏବଂ ଭିଆଇପି ସୁଇଟ୍ ସାମିଲ ଅଛି । ବିଲ୍ଡିଂରେ ଏକ ଆଧୁନିକ ରୋଷେଇ ଘର ସହ ୩୨ ଜଣିଆ ଏଗଜେକ୍ୟୁଟିଭ୍ ଡାଇନିଂ ଏବଂ ୧୦ ଜଣିଆ ଭିଆଇପି ଡାଇନିଂ ହଲ୍ ରହିବ । ଦ୍ୱିତୀୟ ମହଲାରେ ୭୩ ଜଣ ବସିବା ଭଳି ଏକ ବଡ଼ କନଫରେନ୍ସ ହଲ୍ ରହିବ। ଓଡ଼ିଶାର ହସ୍ତକଳା ଓ ସଂସ୍କୃତିର ପ୍ରଚାର ପାଇଁ ପ୍ରଥମ ମହଲାରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ରହିବ । ସେହିପରି ନୂଆଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଓଡ଼ିଶା ଭବନ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗକୁ ସୁରଟରେ ମଧ୍ୟ ନିର୍ମାଣ ହେବ । ବାଙ୍ଗାଲୋରରେ ନିର୍ମାଣ ପାଇଁ ଜମି ଅନୁମତି ମାଗିଛନ୍ତି । ମୁମ୍ବାଇରେ ଅଛି, କୋଲକାତାରେ ଅଛି, ଚେନ୍ନାଇରେ ବି ଅଛି । ଅଯୋଧ୍ୟାରେ ଜମି ପାଇଁ ଅନୁମତି ମାଗିଛନ୍ତି । ତେବେ ମୁମ୍ବାଇରେ ଆଉ ଗୋଟିଏ ଭବନ ନିର୍ମାଣ କରିବା ଲାଗି ଅନୁମତି ମାଗିଛନ୍ତି ରାଜ୍ୟ ସରକାର ।