ଦିଲ୍ଲୀ ଏୟାରପୋର୍ଟରେ ଏୟାର ଇଣ୍ଡିଆ ବସରେ ଲାଗିଲା ନିଆଁ
ଦିଲ୍ଲୀ ବିମାନବନ୍ଦରରେ ଏକ ବସରେ ଅଗ୍ନିକାଣ୍ଡ ଘଟିଛି। ମଙ୍ଗଳବାର ଅପରାହ୍ନରେ ଟର୍ମିନାଲ ୩ରେ ଏୟାର ଇଣ୍ଡିଆର ଏକ ବସରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।ତେବେ ଘଟଣା ଘଟିବା ବେଳେ କେହି ବସରେ ନଥିଲେ । ବସରେ ନିଆଁ ଲାଗିବା ବେଳର ଭିଡିଓ ଭାଇରଲ ହେଉଛି । ବସ୍ଟି ଏୟାର ଇଣ୍ଡିଆ STS ଏୟାରପୋର୍ଟ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ହେଉଥିଲା । ତେବେ ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ । ଏହି ଘଟଣା ଦ୍ୱାରା ବିମାନ ଚଳାଚଳ ବିଶେଷ ପ୍ରଭାବିତ ହୋଇନାହିଁ ଏବଂ ସମସ୍ତ ଏୟାରଲାଇନ୍ସ ସୁରୁଖୁରୁରେ କାର୍ଯ୍ୟ କରୁଛି। ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

 
			