ଦିଲ୍ଲୀ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
ନଭେମ୍ବର ୧୦ ତାରିଖରେ ହୋଇଥିବା ଦିଲ୍ଲୀ ବୋମା ବିସ୍ଫୋରଣରେ ଆହତ ହୋଇଥିବା ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୁକମାନ ଏବଂ ବିନୟ ପାଟକଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଗତ ଗୁରୁବାର ଆଉ ଜଣେ ଆହତ ବିଲାଲଙ୍କ ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା। ଅନ୍ୟପଟେ ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ରହିଛି ବାଂଲାଦେଶର ଲିଙ୍କ । ତଦନ୍ତକାରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ଶେଷ ସପ୍ତାହରେ ଢାକାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହିଁ ଭାରତରେ ବିସ୍ଫୋରଣ ଘଟାଇବାକୁ ଚୂଡାନ୍ତ ଯୋଜନା କରାଯାଇଥିଲା ।
ଏହି ବୈଠକରେ ଆତଙ୍କବାଦୀ ସୈଫୁଲ୍ଲା ସୈଫ୍, ନିଷିଦ୍ଧ ହିଜବ୍-ଉଲ-ତହରୀରର ଢାକା ମୁଖ୍ୟ ଜୁବେର ଅହମ୍ମଦ, ସୈଫଙ୍କ ଘନିଷ୍ଠ ସହଯୋଗୀ ତଥା ମରକଜୀ ଜମିୟତ-ଅହଲ-ଏ-ହଦୀସର ସାଧାରଣ ସମ୍ପାଦକ ଇବତିସାମ ଇଲାହୀ ଜାହିର, ହାଫିଜ ଶୁଜାଦୁଲ୍ଲା ଏବଂ ହାଫିଜ ଅଲୀ ଫଜୁଲଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ସାମିଲ ଥିଲେ । ଢାକାରେ ବସିଥିବା ଏହି ବୈଠକର କିଛି ସଦସ୍ୟ ପଶ୍ଚିମବଙ୍ଗ ଦେଇ ଭାରତରେ ପ୍ରବେଶ କରିଥିଲେ ।
