ଦୀପାବଳିରେ ଭୁବନେଶ୍ୱରରେ ରାତି ୯ଟା ପରେ ବାଣଫୁଟା ବନ୍ଦ

ଦୀପାବଳି ଆସିଲେ ସପ୍ତାହେ ଆଗରୁ ଆରମ୍ଭ ହୋଇଯାଏ ବାଣ ଫୁଟା । ଢୋ ଢା ଶବ୍ଦରେ ଫାଟିପଡେ ଚତୁର୍ଦ୍ଦିଗ । ହେଲେ ଏ ବର୍ଷ ଆଉ ରାତିସାରା ଫୁଟିବନି ବାଣ । ଦୀପାବଳି ପାଇଁ କମିଶନରେଟ ପୋଲିସ ଗାଇଡ଼ଲାଇନ ଜାରି କରିଛି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା କଡା ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ ଶବ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ଗ୍ରୀନ କାକର ଫୁଟାଇବା ପାଇଁ ପୋଲିସ ଅନୁରୋଧ କରିଛି । ମଦ ପିଇ ଗାଡି ଚଳାଇଲେ ଅଟକ ରହିବେ ଚାଳକ । ଗାଡିକୁ ଜବତ କରି ନେଇଯିବ ପିସିଆର ଭ୍ୟାନ । ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ ଆଲର୍ଟ ପାଇଁ ନିର୍ଦ୍ଦେଶ । ବେଆଇନ ବାଣ ବିକିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।ସେହିପରି ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ କିଛି ଦିନ ପୂର୍ବରୁ ଗାଇଡଲାଇନ୍ ଆସିଥିଲା । ତେବେ ବାଣ ଫୁଟାଇବାର ସମୟ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରିଥିଲା । ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ବର୍ଜନ କରାଯାଇଛି । ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ । ଶାନ୍ତି କ୍ଷେତ୍ର ଯେମିତିକି ବଗିଚା,ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବର୍ଜିତ କରାଯାଇଛି । ଖୋଲା ଜାଗାରେ ଯଦି କେହି ବାଣ ଫୁଟାଇବାକୁ ଚାହିବେ ତାହା ସବୁଜ ବାଣ ହିଁ ହୋଇଥିବ । ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।