ଦୀପାବଳି ପାଳିଲେ ଅତୀତରେ ମାଓବାଦୀ ଥିବା ମହିଳା

ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ ଗରିଆବନ୍ଧରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟl ଜଙ୍ଗଲରେ ରହିଆସୁଥିବା ମହିଳା ମାଓବାଦୀମା‌ନେ ପୁଲିସ ନିକଟରେ ଆତ୍ମସମର୍ପଣ ପରେ ଏବେ ନିର୍ଭୟରେ ଦୀପାବଳି ପାଳନ କରିଛନ୍ତି। ଦୀପାବଳି ପାଳନ କରିବା ପୂର୍ବରୁ ସେମାନେ ବଜାରରୁ ଜିନିଷପତ୍ର କିଣିଛନ୍ତି। ଅସ୍ତ୍ର ତ୍ୟାଗ କରି ଶାନ୍ତି ପଥେ ଆଗେଇ ଆସିଛନ୍ତି ମାଓବାଦୀ । ମାଓ ଇତିହାସର ପ୍ରଥମ କରି ପ୍ରାୟ ୨୦୦ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ଧାରାରେ ସାମିଲ ହେଉଛନ୍ତି । ଛତିଶଗଡ଼ ଦଣ୍ଡକାରଣ୍ୟ ସ୍ପୋଶାଲ ଯୋନାଲ କମିଟିରୁ ପ୍ରାୟ ୧୪୦ରୁ ଅଧିକ ଏବଂ ଉତ୍ତର ବସ୍ତର ଡିଭିଜନର ୫୦ରୁ ଉର୍ଦ୍ଧ୍ବ ମାଓବାଦୀ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅସ୍ତ୍ର ତ୍ୟାଗ କରିଛନ୍ତି ।ବହୁ ମାଓବାଦୀଙ୍କ ପରିବାର ଚାଷୀ ଶ୍ରେଣୀର ହୋଇଥିବାରୁ ସେମାନେ ଚାଷ ଉପରେ ବିଶେଷ ଗୁରୁତ୍ବ ଦେବେ ବୋଲି କହିଥିଲେ। ଆଗକୁ ମଧ୍ୟ ବହୁ ନକ୍ସଲ ନିଜର ହତିଆର ପୁଲିସ ନିକଟରେ ରଖିବେ ବୋଲି ଜଣାପଡିଛି। ଦିନ ଥିଲା ମାଓବାଦୀଙ୍କ ଆତଙ୍କ ରାଜ୍ୟ ଏବଂ ରାଜ୍ୟ ବାହାରେ ବଢ଼ିବାରେ ଲାଗିଥିଲା । ଜଙ୍ଗଲରେ ଡେରା ଜମାଇଥିଲେ ମାଓବାଦୀ । ସରକାରୀ କାମକୁ ରୋକିବା ସହ କେଉଁଠି କଣ୍ଟ୍ରାକ୍ଟରକୁ ହତ୍ୟା ତ ଆଉ କେଉଁଠି ସେନା ଗାଡ଼ି ଉପରକୁ ଗୁଳିମାଡ଼ କରୁଥିଲେ । ରାସ୍ତାରେ ଲ୍ୟାଣ୍ଡମାଇନ୍ ବିଛାଇ ଅନେକ ଜୀବନ ନେଉଥିଲେ । ସେନା ଯବାନ ଏବଂ ମାଓବାଦୀ ମୁହାଁମୁହିଁ ଫଳରେ ଅନେକ ଯବାନ ସହିଦ୍ ହେଉଥିଲେ । କିନ୍ତୁ ଏବେ ଏହି ମାଓଗଡ଼ ଟଳିବାରେ ଲାଗିଛି । ବନ୍ଧୁକ ଛାଡ଼ି ଏବେ ଭଲ ରାସ୍ତାକୁ ଫେରୁଛନ୍ତି ମାଓବାଦୀ ।