ଦୁଇ ଚକିଆ ଯାନକୁ ଆମ୍ବୁଲାନ୍ସ କରି ଅଞ୍ଚଳର ରୋଗୀଙ୍କ ସେବା କରୁଛନ୍ତି ପ୍ରଦୀପ୍ତ କୁମାର ବିଶ୍ୱାଳ

ବର୍ତ୍ତମାନ ସମୟରେ ବ୍ୟସ୍ତ ଜୀବନରେ କେହି କାହାର ନୁହନ୍ତି | ଅଧିକାଂଶ ଲୋକେ ନିଜ ଲାଭ ଦେଖି କାର୍ଯ୍ୟ କରନ୍ତି | ଏଭଳି କ୍ଷେତ୍ରରେ ସାଧାରଣଲୋକଙ୍କ ସେବାରେ ପ୍ରଦୀପ୍ତ କୁମାର ବିଶ୍ୱାଳ ନିଜକୁ ସମର୍ପିତ କରିଛନ୍ତି। ସେମାନଙ୍କ ସୁଖ ଦୁଃଖ ବୁଝିବା ସହ ରୋଗୀ ମାଗଣା ସେବା ଯୋଗାଇ ଦେଉଛନ୍ତି । ଦୀର୍ଘ ଦିନ ଧରି ପ୍ରଦୀପ୍ତ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ସପ୍ନ ଦେଖୁଥିବାବେଳେ ବାସ୍ତବରେ ଏବେ ସେ ସଫଳ ହୋଇଛନ୍ତି। ସେ ନିଜ ଦୁଇ ଚକିଆ ଯାନକୁ ଆମ୍ବୁଲାନ୍ସ କରି ଅଞ୍ଚଳର ରୋଗୀଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନେଉଛନ୍ତି। ବେଗୁନିଆ ବ୍ଲକ ବାଘମାରି ଅଞ୍ଚଳରେ ପ୍ରଦୀପ୍ତ ଙ୍କ ଘର ଅଟେ । ସାଧାରଣ ଲୋକଙ୍କ ସୁଖ ଦୁଃଖର ଭାଗୀଦାରୀ ହୋଇ ସମାଧାନର ରାସ୍ତା ବାହାର କରିବାରେ ଜଣେ ଦକ୍ଷ ସାମାଜିକ କର୍ମୀ ଭାବେ ପରିଚିତ ହୋଇପାରିଛନ୍ତି।

ବାଘମାରୀର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇଦେବା ସହ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଟିଏ ଆମ୍ବୁଲାନ୍ସ ଦେବାକୁ ବାରମ୍ବାର ସରକାରଙ୍କୁ ଦାବି କରୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ। ଶେଷରେ ସେ ଲୋକଙ୍କ ସେବା ପାଇଁ ଏକ ଅଭିନବ ପ୍ରୟାସ କରିଥିଲେ। ସ୍ଥାନୀୟ ଅଞ୍ଚଳର ଗୁରୁତର ରୋଗୀଙ୍କୁ ଜରୁରୀକାଳୀନ ମାଗଣା ସେବା ଯୋଗାଇ ଦେବାକୁ ସଂକଳ୍ପ କରିଥିଲେ। ସେ ନିଜ ଦୁଇ ଚକିଆ ଯାନକୁ ଏକ ଆମ୍ବୁଲାନ୍ସ ଭଳି କରିଛନ୍ତି, ଯେଉଁଥିରେ ଜଣେ ରୋଗୀ ସୁବିଧାରେ ଯାଇପାରିବେ। ଆଗକୁ ସେ ବିଭିନ୍ନ ଗ୍ରାମକୁ ଯାଇ ରୋଗୀଙ୍କୁ ସେବା ଯୋଗାଇବାକୁ ସଂକଳ୍ପ କରିଥିବା ପ୍ରଦୀପ୍ତ କହିଛନ୍ତି। ପ୍ରଦୀପ୍ତଙ୍କ ଏଭଳି ମହତ ଆଭିମୁଖ୍ୟ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଆମ ଆଦମୀ ପାର୍ଟିର ନେତା କଳ୍ପତରୁ ପଣ୍ଡା କୃତଜ୍ଞତା ଜଣାଇଛନ୍ତି। ଓ ଆଗକୁ ତାଙ୍କର ଏହି ସେବା କାର୍ଯ୍ୟ ଅଗ୍ରଗତି ହେବ ସେଥିପାଇଁ ଉଦ୍ୟମ କରିବେ |