ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ : ଜଣେ ଭାରତୀୟଙ୍କ ସମେତ ୪ ଜଣ ଆହତ
ପୁଣି ଟାର୍ଗଟରେ ଦୁବାଇ ଏୟାରପୋର୍ଟ । ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଖସିଲା ଡ୍ରୋନ । ଜଣେ ଭାରତୀୟଙ୍କ ସମେତ ୪ ଜଣ ଆହତ ।ଦୁବାଇ ମିଡିଆ ଅଫିସ୍ ସୋସିଆଲ ମିଡିଆ ଏକ୍ସରେ ଏକ ବିବୃତିରେ କହିଛି, ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର (ଡିଏକ୍ସବି) ନିକଟରେ ଦୁଇଟି ଡ୍ରୋନ୍କୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ବାରା ରୋକା ଯାଇଛି । ଏହି ଘଟଣାରେ ଜଣେ ଭାରତୀୟଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି । ଏଥିରେ ଆହୁରି କୁହାଯାଇଛି, ବିମାନ ପରିବହନ ସ୍ୱାଭାବିକ ଭାବରେ ଚାଲୁଛି । ଏହି ଡ୍ରୋନ କେଉଁଠାରୁ ଆସିଥିଲା ସେ ନେଇ ତଦନ୍ତ ଜାରି ରଖିଛି ସୁରକ୍ଷା ଏଜେନ୍ସି। ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଥିବା କୁହାଯାଇଛି।
ସେପଟେ ଦୋହାରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। କତାର ରାଜଧାନୀ ଦୋହାର ଅନେକ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ଏହି ବିସ୍ଫୋରଣ ବହୁ ଶକ୍ତିଶାଳୀ ଥିବା ସୂଚନା ମିଳିଛି। ଗଲ୍ଫ ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଦ୍ୱାଦଶ ଦିନରେ ପହଞ୍ଚିଛି। ଆହୁରି ଆକ୍ରମଣ ଆଶଙ୍କା ଥିବାରୁ ନାଗରିକମାନଙ୍କୁ ବାହାରକୁ ନବାହାରିବାକୁ ଦୋହା ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି।
