ଦୁବାଇ ସ୍ଥିତି ଜଣାଇଲେ ଅଭିନେତ୍ରୀ ସୋନାଲ ଚୌହାନ
ଇରାନ ଉପରେ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣ ପରେ ଇରାନ ଇସ୍ରାଏଲ ସମେତ ଆରବ ଦେଶର ଅନେକ ଆମେରିକୀୟ ଠିକଣା ଉପରେ ଆକ୍ରମଣ କରିଛି । ଏହି କ୍ରମରେ ଦୁବାଇରେ ମଧ୍ୟ ଡ୍ରୋନ୍ ଆକ୍ରମଣ ହୋଇଛି । ଦୁବାଇ ଭାରତର ଅନେକ ସେଲିବ୍ରିଟିଙ୍କ ପ୍ରିୟ ସ୍ଥାନ । କିନ୍ତୁ ଯୁଦ୍ଧ ଯୋଗୁ ବିମାନ ସେବା ବାତିଲ ହେବାରୁ ଭାରତୀୟ ସେଲିବ୍ରିଟି ସେଠାରେ ଫସିଛନ୍ତି ।ଏହି ସମୟରେ, ଦୁବାଇରେ ଫସି ରହିଥିବା ସୋନାଲ ଚୌହାନ ଏକ ସାର୍ବଜନୀନ ବିବୃତ୍ତି ଜାରି କରି ନିଶ୍ଚିତ କରିଛନ୍ତି ଯେ ସେ ସୁରକ୍ଷିତ ଅଛନ୍ତି। ଏହି ସ୍ପଷ୍ଟୀକରଣ ସେ କହିବାର ଗୋଟିଏ ଦିନ ପରେ ଆସିଛି ଯେ ସେ ବହୁ ବିମାନ ବାତିଲ ଯୋଗୁ ଫସି ରହିଛନ୍ତି ଏବଂ ଭାରତ ସରକାରଙ୍କଠାରୁ ସହାୟତା ଲୋଡିଛନ୍ତି।ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ ଦୁବାଇ ବିମାନବନ୍ଦରରେ ଫସିଛନ୍ତି । ଭିଡିଓ ମାଧ୍ୟମରେ ଭାରତ ସରକାରଙ୍କୁ ସେ ସାହାଯ୍ୟ ଲାଗି ଅପିଲ କରିଛନ୍ତି । ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡମିଣ୍ଟନ ଚାମ୍ପିଅନସିପ ପାଇଁ ସିନ୍ଧୁ ବେଙ୍ଗାଲୁରୁରୁ ବ୍ରିଟେନର ବର୍ମିଂଘମ୍ ଯାତ୍ରା କରୁଥିଲେ । କିନ୍ତୁ ଦୁବାଇରେ ବିମାନ ଅବତରଣ ମାତ୍ରେ ସ୍ଥିତି ହଠାତ୍ ବିଗିଡ଼ିଗଲା ଏବଂ ବିମାନ ସେବା ଠପ୍ ହେଲା । ସିନ୍ଧୁ ଭିଡିଓରେ କହିଛନ୍ତି, ଦୁବାଇରେ ବିମାନ ଅବତରଣ ପରେ ସ୍ଥିତି ହଠାତ୍ ବଦଳିଗଲା ଏବଂ ବାୟୁ ସୀମା ବନ୍ଦ କରିଦିଆଗଲା । ଏହା ପରେ କିଛି ଘଣ୍ଟା ଅତ୍ୟନ୍ତ ଚିନ୍ତାଜନକ ଥିଲା । କିଛି ଘଣ୍ଟା ପରେ ଆମ ରହିବା ସ୍ଥାନର ଅତି ନିକଟରେ ବଡ଼ ବିସ୍ଫୋରଣ ହେଲା । ଆମ କୋଚଙ୍କଠୁ ୧୦୦ ମିଟର ଦୂରରେ ବିସ୍ଫୋରଣ ହେଲା । ତାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଗଲା । ଏହି ଘଟଣା ଆମ ଟିମକୁ ଦୋହଲାଇ ଦେଇଛି । ସିନ୍ଧୁଙ୍କ ଇଣ୍ଡୋନେସୀୟ କୋଚ୍ ଗଣମାଧ୍ୟମକୁ କହିଛନ୍ତି, ବିମାନବନ୍ଦରରେ ବିସ୍ଫୋରଣ ହୋଇଛି । ସେଥିପାଇଁ ଆମେ ଏଠାରେ ଫସିରହିଛୁ । ଆମକୁ ହୋଟେଲରେ ରଖାଯାଇଛି । ଆମେ ସୁରକ୍ଷିତ ଅଛୁ, ତଥାପି ଚିନ୍ତାରେ ଅଛୁ ।
