ଦୁର୍ଘଟଣା ନୁହେଁ, ହତ୍ୟାକାଣ୍ଡ ଘଟାଇଥିଲେ ସ୍ବାମୀ ଦୀପକ

ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ମାମଲାରେ ନୂଆମୋଡ଼ । ଦୁର୍ଘଟଣା ନୁହେଁ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କର ହୋଇଥିଲା ହତ୍ୟା । ସ୍ବାମୀ ଦୀପକ ରାଉତ ଅତି ନିର୍ଦ୍ଦୟ ଭାବେ ଅପର୍ଣ୍ଣାଙ୍କର ହତ୍ୟା କରିଥିବାର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ପାଇଛି ପୁଲିସ । ଗତକାଲି ଝାରପଡ଼ା ଜେଲରେ ଦୀପକଙ୍କୁ ପଚରାଉଚରା ବେଳେ ଅନେକ ସାଙ୍ଘାତିକ କଥା ପୁଲିସ ନିକଟରେ କହିଛି ଦୀପକ। କନେଷ୍ଟବଳ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଦୀପକ। ୨୦୨୨ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାକିଶୋରପୁର ଠାରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପୁଲିସ ଆଗରେ କହିଥିଲା ଦୀପକ।ଏବେ ହତ୍ୟା ଅଭିଯୋଗ ଆସିବା ପରେ ତଦନ୍ତକାରୀ ଅଧିକାରୀ ଦୁର୍ଘଟଣା ମାମଲାର ସମସ୍ତ ନଥିପତ୍ରକୁ ଜବତ କରିବା ସହ ଅପର୍ଣ୍ଣାଙ୍କ ପରିବାରର ୮ ଜଣ ସଦସ୍ୟ, ଦୁର୍ଘଟଣା ମାମଲାର ତଦନ୍ତକାରୀ ଅଧିକାରୀ, ସାକ୍ଷୀ ଓ ତତ୍କାଳୀନ ଖୁଣ୍ଟୁଣି ଥାନା ଅଧିକାରୀଙ୍କୁ ପଚରାଉଚରା କରିଥିଲେ। ଅପର୍ଣ୍ଣାଙ୍କୁ ମୃତ ଘୋଷଣା କରିଥିବା ଡାକ୍ତର ଓ ମୃତଦେହକୁ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏଥିସହିତ ବ୍ୟବଚ୍ଛେଦ ସମୟରେ ଉପସ୍ଥିତ ଥିବା ଦୀପକର ଭାଇ, ଭାଉଜଙ୍କ ସମେତ ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।ଅପର୍ଣ୍ଣା ମୃତ୍ୟୁକୁ ନେଇ ସେତେବେଳେ ଚର୍ଚ୍ଚା ବଢିଥିଲା ଯେତେବେଳେ ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟାକାଣ୍ଡରେ ଦୀପକଙ୍କ ସମ୍ପୃକ୍ତି ମିଳିଥିଲା । ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିବା ପରେ ବୀମା ଟଙ୍କା ପାଇଁ ତାଙ୍କୁ ହତ୍ୟା କରି ପୋତି ଦେଇଥିଲେ ଦୀପକ । ପରେ ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସନ୍ଦେହ କରିଥିଲେ । ଏବେ ପୁନଃ ତଦନ୍ତ ଭିତରେ ଦୀପକଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଖୁବଶୀଘ୍ର ପୂରା ଘଟଣା ଉପରୁ ପରଦା ହଟାଇବ ।