ଦେଶକୁ ଖୁବ୍ ଶୀଘ୍ର ମିଳିପାରେ ପ୍ରଥମ ଡେଙ୍ଗୁ ଟିକା

ଭାରତରେ ପ୍ରଥମ ଡେଙ୍ଗୁ ଟିକାକୁ ମିଳିପାରେ ଅନୁମତି । ଏଥିପାଇଁ ବିଶେଷଜ୍ଞ କମିଟି ସୁପାରିସ କରିଥିବା ଜଣାପଡ଼ିଛି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO)ର ଏକ ବିଶେଷଜ୍ଞ କମିଟି ଜାପାନର ବାୟୋଫାର୍ମା କମ୍ପାନୀ ‘ଟାକେଡା’ ଦ୍ୱାରା ପ୍ରସ୍ତୁତ ଡେଙ୍ଗୁ ଟିକାକୁ ଭାରତ ଆମଦାନୀ କରିବା ପାଇଁ ସୁପାରିସ କରିଛି ।ଏହି ଟିକାର ବ୍ୟାପକ ବୈଶ୍ୱିକ ଏବଂ ଭାରତୀୟ କ୍ଲିନିକାଲ ତଥ୍ୟକୁ ଅନୁଧ୍ୟାନ କରିବା ପରେ ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) କହିଛି ଯେ, ଏହା ଏକ ଗ୍ରହଣୀୟ ସୁରକ୍ଷା ପ୍ରୋଫାଇଲ ଏବଂ ନିରନ୍ତର ଦକ୍ଷତା ପ୍ରଦର୍ଶନ କରୁଛି ଯାହାକି ଏହାର ନିୟାମକ କ୍ଲିଅରାନ୍ସ ଲାଗିପଥ ପରିସ୍କାର କରୁଛି । ଯଦି ଜାତୀୟ ଡ୍ରଗ୍ ନିୟାମକ ଏହାକୁ ଅନୁମତି ଦିଅନ୍ତି ତେବେ ଏହି ଟିକା ଖୁବ୍ ଶୀଘ୍ର ଦେଶରେ ୪-୬୦ ବର୍ଷୀୟଙ୍କ ଲାଗି ଉପଲବ୍ଧ ହୋଇପାରେ । ବର୍ତ୍ତମାନ ଏହି ଟିକା ସାରା ବିଶ୍ୱରେ ଡେଙ୍ଗୁ ବିରୋଧରେ ମାନ୍ୟତାପ୍ରାପ୍ତ ଏକମାତ୍ର ଟିକା ।ଗତବର୍ଷ ଭାରତରେ ପ୍ରାୟ ୧.୧ ଲକ୍ଷରୁ ଅଧିକ ଡେଙ୍ଗୁ ମାମଲା ଚିହ୍ନଟ ହୋଇଥିଲା । ଏହି ଟିକା ଆସିବା ଫଳରେ ଗୁରୁତର ଅସୁସ୍ଥତା ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏବେ ଦେଶରେ ଡେଙ୍ଗୁ ମାମଲା ବଢ଼ୁଥିବା ବେଳେ ପାଣିପାଗ ପରିବର୍ତ୍ତନ ହେଉଛି । ତେଣୁ ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ଟିକା ଜରୁରୀ ହୋଇ ପଡ଼ିଛି ।ସୂଚନାଥାଉକି, ଭାରତ ନିଜର ସ୍ୱଦେଶୀ ଟିକା ‘ଡେଙ୍ଗିଅଲ୍’ ଉପରେ ମଧ୍ୟ କାମ କରୁଛି । ଏହାକୁ ପାନେକା ବାୟୋଟେକ୍ ଏବଂ ଆଇସିଏମଆର ମିଶି ବିକଶିତ କରୁଛନ୍ତି । ଏହାର ତୃତୀୟ ପର୍ଯ୍ୟାୟର ଟ୍ରାଏଲ୍ ଜାରି ରହିଛି । ୨୦୨୭ ମଧ୍ୟରେ ଏହା ଆସିବାର ଆଶା ରହିଛି