ଦେଶରେ ନିର୍ମିତ ପ୍ରଥମ ମ୍ୟାଲେରିଆ ଟିକାକୁ ମିଳିଲା ଅନୁମୋଦନ

ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଦେଶରେ ନିର୍ମିତ ପ୍ରଥମ ମ୍ୟାଲେରିଆ ଟିକାକୁ ଅନୁମୋଦନ ଦେଇଛି । ଆଡଫାଲସିଭାକ୍ସ ନାମକ ଏହି ଟିକା ଏକକାଳୀନ ମ୍ୟାଲେରିଆର ଅନେକ ପର୍ଯ୍ୟାୟକୁ ନଷ୍ଟ କରିବା ସହ ରୋଗୀଙ୍କୁ ସୁରକ୍ଷା ଦେବାର କ୍ଷମତା ବଜାୟ ରଖେ । ଆଡଫାଲସିଭାକ୍ସ ନାମକ ଏହି ଟିକା ଭାରତର ପ୍ରଥମ ଟିକା ଯାହା ସବୁଠାରୁ ଘାତକ ମ୍ୟାଲେରିଆ ଜୀବାଣୁ, ପ୍ଲାଜମୋଡିୟମ୍ ଫାଲସିପେରମରୁ ସୁରକ୍ଷା ଦେବା ଲାଗି ଡିଜାଇନ୍ କରାଯାଇଛି । ଏହି ଟିକାକୁ ଭୁବନେଶ୍ୱରର ICMRର ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର RMRCରେ ବିକଶିତ ହୋଇଛି । ଏହି ଟିକା ରକ୍ତରେ ପହଞ୍ଚିବା ପୂର୍ବରୁ ମ୍ୟାଲେରିଆ ଜୀବାଣୁକୁ ଶରୀର ଭିତରକୁ ଯିବାକୁ ପ୍ରତିରୋଧ କରେ । ଏହା କେବଳ ବ୍ୟକ୍ତିକୁ ମ୍ୟାଲେରିଆରୁ ରକ୍ଷା କରେ ନାହିଁ, ବରଂ ଏହି ଟିକା ଏହି ରୋଗକୁ ଅନ୍ୟମାନଙ୍କୁ ବ୍ୟାପିବାରୁ ମଧ୍ୟ ରୋକେ । ଆଡାଫାଲସିଭାକ୍ସର ମୂଲ୍ୟ ବହୁତ କମ୍ । ତେଣୁ ଏହାକୁ ବହୁ ପରିମାଣରେ ତିଆରି କରାଯାଇପାରିବ ଏବଂ ଏହା ରୁମ୍ ଟେମ୍ପରେଟରରେ ୯ ମାସରୁ ଅଧିକ ସମୟ ପାଇଁ ସଂରକ୍ଷିତ କରି ରଖାଯାଇପାରିବ ।ICMR ୫ଟି ଭାରତୀୟ କମ୍ପାନୀକୁ ଆଡାଫାଲସିଭାକ୍ସ ଉତ୍ପାଦନ କରିବାକୁ ଲାଇସେନ୍ସ ଦେଇଛି । ଏହି କମ୍ପାନୀଗୁଡ଼ିକ ଏହି ଟିକାକୁ ବଡ଼ ପରିମାଣରେ ଉତ୍ପାଦନ କରିବା ଏବଂ ଚୂଡ଼ାନ୍ତ ପରୀକ୍ଷଣ ସମାପ୍ତ କରିବା ପରେ ବ୍ୟବହାର ପାଇଁ ଉପଲବ୍ଧ କରାଇବେ ।ଭାରତ ୨୦୨୭ ସୁଦ୍ଧା ଦେଶରେ ନୂତନ ମ୍ୟାଲେରିଆ ମାମଲା ସଂଖ୍ୟାକୁ ଶୂନକୁ ହ୍ରାସ କରିବା ସହ ୨୦୩୦ ସୁଦ୍ଧା ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛି ।