ଦେଶ ପାଳୁଛି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ

ଭାରତର ଲୌହପୁରୁଷ ସର୍ଦ୍ଦାର ବଳ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ରାଷ୍ଟ୍ରୀୟ ଏକତା ଦିବସ ପ୍ରତିବର୍ଷ ଅକ୍ଟୋବର ୩୧ରେ ପାଳନ କରାଯାଉଛି । ରାଷ୍ଟ୍ରୀୟ ଏକତା ଦିବସ ଭାରତର ଏକତା, ଅଖଣ୍ଡତା ଏବଂ ଜାତୀୟ ସଂହତିର ପ୍ରତୀକ । ଏହି ଅବସରରେ ଗୁଜରାଟର ଷ୍ଟାଚ୍ୟୁ ଅଫ ୟୁନିଟ୍‌ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସର୍ଦ୍ଦାର ପଟେଲଙ୍କ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯିଏ ସ୍ବାଧୀନତା ପରେ ୫୬୨ଟି ଗଡ଼ଜାତ ରାଜ୍ୟର ଏକୀକରଣରେ ସେ ଐତିହାସିକ ଭୂମିକା ଗ୍ରହଣ କରିଥିଲେ ଏବଂ ସ୍ବାଧୀନ ଭାରତର ଏକତାର ମୂଳଦୁଆ ସ୍ଥାପନ କରିଥିଲେ।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଲୌହମାନବଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଓକିଲ, ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ଥିଲା । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ଅବଦାନ ନିମିତ୍ତ ତାଙ୍କୁ “ଲୌହ ମାନବ” ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି ।