ଧାନ ମଣ୍ଡିରେ ଦଲାଲଙ୍କୁ ବରଦାସ୍ତ କରାଯିବ ନାହିଁ: କୃଷି ମନ୍ତ୍ରୀ

ପଞ୍ଜୀକରଣ ଅବଧି ବୃଦ୍ଧି କରିବା ଦାବି ଭିତରେ ଧାନ ବେପାରୀଙ୍କୁ ଚରମବାଣୀ ଶୁଣାଇଛନ୍ତି କୃଷି ମନ୍ତ୍ରୀ । ସେ କହିଛନ୍ତି ଧାନ ମଣ୍ଡିରେ ଦଲାଲଙ୍କୁ ବରଦାସ୍ତ କରାଯିବ ନାହିଁ । ଛତିଶଗଡ଼ର ଚାଷୀଙ୍କ ଧାନ ଓଡ଼ିଶାର ମଣ୍ଡିରେ ବିକ୍ରି କରୁଥିବା କେହି ଧରା ପଡ଼ିଲେ କ୍ଷମା କରାଯିବ ନାହିଁ । ସିଧାସଳଖ ଜେଲରେ ଭର୍ତ୍ତି କରାଯିବ ।ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ସରକାର ଇନପୁଟ୍ ସବସିଡି ବାବଦକୁ ୮୦୦ ଟଙ୍କା ଦେଉଛନ୍ତି । ତେଣୁ ବେପାରୀ ଏହାର ଫାଇଦା ଉଠାଇବାକୁ ଛତିଶଗଡ଼ରୁ ଧାନ ଉଠାଉଛନ୍ତି । ଓଡ଼ିଶାର ଅନେକ ଚାଷୀ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ ଆଣୁଥିବା ବେଳେ ଛତିଶଗଡରୁ ଧାନ ଆଣି ବେପାରୀ ବିକ୍ରି କରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଚାଷୀ । ଏମାନଙ୍କ ବିରୋଧରେ ଜିରୋ ଟଲେରାନସ ନୀତି ଆପଣାଯିବ ବୋଲି ପୂର୍ବରୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମଣ୍ଡି ଓଡ଼ିଶାର ଚାଷୀଙ୍କ ଧାନ ବିକ୍ରି ପାଇଁ। ଏଠାରେ ଛତିଶଗଡ଼ର ଚାଷୀଙ୍କ ଧାନକୁ ବିକ୍ରି କରାଇଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେଭି ସିଂଦେଓ ।