ନଇ କୂଳରେ ଯୁବକଙ୍କ ମୃତ ଦେହ, ଥାନାରେ ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଜୁନାପାଣି ଗ୍ରାମରେ ଜଣେ ଯୁବକଙ୍କ ମୃତ ଦେହ ନଇ କୂଳରେ ପଡିଥିବା ଦେଖିବାକୁ ମିଳିଛି l ଯୁବକଙ୍କ ମୃତ୍ୟୁ କୁ ନେଇ ପରିବାର ଲୋକ ସ୍ଥାନୀୟ ଚନ୍ଦାହାଣ୍ଡି ଥାନା ରେ ଏକ ଅଭିଯୋଗ ଦାଖଲ କରିଛନ୍ତି l ଅଭିଯୋଗ ପ୍ରକାରେ ଆଜି ଚନ୍ଦାହାଣ୍ଡି ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l ସୂଚନା ଅନୁଯାୟୀ ଜୁନାପାଣି ଗ୍ରାମର ଭୂଜବଳ କୁରକୁରିଆ ବୟସ 25 ସେ ଗତକାଲି ଅପରାହ୍ନରେ ଘରୁ ବାହାରି କେଉଁଆଡ଼େ ଯାଇଥିଲେ ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ l

ତେବେ ଆଜି ଜୁନାପାଣି ଆଶ୍ରମ ବିଦ୍ୟାଳୟ ନିକଟସ୍ଥ ଏକ ନାଳ ନିକଟକୁ ଗାଁର କିଛି ଛୁଆମାନେ ବୁଲି ଯାଇଥିବା ବେଳେ ବୁଦା ମଧ୍ୟରେ ମୃତକ ଭୂଜବଳ କୁରକୁରିଆଙ୍କ ମୃତଶରୀର ପଡ଼ି ରହିଥିବା ଦେଖିବାକୁ ପାଇଥିଲେ l ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ମୃତକର ପରିବାର ଲୋକେ ନଇ କୂଳକୁ ଯାଇ ଶବ ଚିହ୍ନଟ କରି ନିଜ ପୁଅ ବୋଲି ଜାଣି ସ୍ଥାନୀୟ ଚନ୍ଦାହାଣ୍ଡି ଥାନା କୁ ଯାଇ ଏକ ଅଭିଯୋଗ ଦାଖଲ କରିଥିଲେ l ଅଭିଯୋଗ କ୍ରମେ ଥାନାଧିକାରୀ ଯୁଗଳ କିଶୋର ସା ଅଭିଯୋଗ କୁ ଭିତ୍ତିକରି ଏ ଏସ୍ ଆଇ ଲାବାଣ୍ୟ ବେମାଲଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ l ତେବେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତକଙ୍କ ପିତା ଶରତ ଚନ୍ଦ୍ର କୁରକୁରିଆଙ୍କ ଅଭିଯୋଗ ତଥା ବୟାନ ଓ କୁ ଆଧାର କରି ଚନ୍ଦାହାଣ୍ଡି ଥାନା UD କେଶ୍ ନମ୍ବର 12/2025 ପ୍ରକାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l ଆଜି ପରିବାର ଲୋକଙ୍କ ଉପସ୍ଥିତିରେ ମୃତ ଯୁବକଙ୍କ ଶବ କୁ ଜବତ କରି ପଞ୍ଚନାମା ପ୍ରସ୍ତୁତ କରି ଶବ ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି l ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରକାର ସନ୍ଦେହ ପ୍ରକଟିତ ହେଉଥିବା ବେଳେ ପୁଲିସ ର ତଦନ୍ତ ପରେ ଏନେଇ ଆଗକୁ କିଛି ସତ୍ୟତାର ପରଦା ଉଠିବ ବୋଲି ଆଲୋଚନା ହେଉଛି l