ନନ୍ଦନକାନନକୁ ଆସିଲେ ୫ ପ୍ରଜାତିର ୧୧ ନୂଆ ଅତିଥି।ନୂଆ କରି ଆସିଲା ରିଙ୍ଗଟେଲ ଲେମୁର
ନନ୍ଦନକାନନ ଆସିଲେ ନୂଆ ଅତିଥି । ପ୍ରଥମଥର ପାଇଁ ପର୍ଯ୍ୟଟକ ଦେଖିବାକୁ ପାଇବେ ‘ରିଙ୍ଗ ଟେଲଡ୍ ଲେମୁର୍’। ଯାଇଥିଲେ ପୁରୁଣା, ଆସିଲେ ନୂଆ । ୧୫ ବଦଳରେ ଆସିଲେ ୧୧ । ଏଥିରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବଳିଆ କୁକୁର, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରିଙ୍ଗଟେଲ ଲେମୁର, ଗୋଟିଏ ଅଣ୍ଡିରା କୁକାଟୁଆ, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ନୀଳଗାଈ ଓ ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ବନେଟ ମାଙ୍କଡ଼ ଆସିଛନ୍ତି । ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼ । ସଂଗରୋଧରେ ରହିବା ପରେ ଛଡ଼ାଯିବ ଖୁଆଡ଼ରେ ।ନନ୍ଦନକାନନର ୮ଜଣିଆ ଟିମ୍ ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀଉଦ୍ୟାନରୁ ସମସ୍ତ ଜନ୍ତୁଙ୍କୁ ନେଇ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ନନ୍ଦନକାନନରେ ପହଞ୍ଚିଛନ୍ତି । ଆସିଥିବା ୫ ପ୍ରଜାତି ମଧ୍ୟରେ ନନ୍ଦନକାନନରେ ଏକ ନୂତନ ପ୍ରଜାତି ଯୋଡ଼ି ହୋଇଛି । ପ୍ରଥମ ଥର ନନ୍ଦନକାନନ ଆସିଛି ଏକ ହଳ ‘ରିଙ୍ଗ ଟେଲଡ୍ ଲେମୁର୍’ । ଏହି ବିଦେଶୀ ମାଙ୍କଡ ପ୍ରଜାତି ସାଧାରଣତଃ ଆଫ୍ରିକାର ମେଡ଼ାଗାସ୍କରରେ ଦେଖାଯାଆନ୍ତି । ଏହି ନୂତନ ପ୍ରଜାତି ଯୋଡ଼ିହେବା ପରେ ନନ୍ଦନକାନନରେ ମୋଟ୍ ଜୀବଜନ୍ତୁ ପ୍ରଜାତି ସଂଖ୍ୟା ୧୭୮କୁ ବୃଦ୍ଧି ପାଇଛି ।ଗତ ୨ ବର୍ଷ ତଳେ କୋଲକାତା ଆଲିପୁର ଚିଡ଼ିଆଖାନାରୁ ଦୁଇଟି ଜିରାଫ ଆଣିଥିଲେ କର୍ତ୍ତୁପକ୍ଷ । ସେହିପରି ଭାବେ ୨୦୧୨ରେ ବିହାରର ପାଟଣା ଚିଡ଼ିଆଖାନାରୁ ‘ଖୁସି’ ନାମକ ମାଈ ଜିରାଫକୁ ନନ୍ଦନକାନନ ଅଣାଯାଇଥିଲା ।
