ନନ୍ଦନକାନନକୁ ୨ ଟି ରେଡ୍ ପାଣ୍ଡା, ୨ ଟି ଗୋରାଲ ଏବଂ ଗୋଲ୍ଡେନ ଫିଜାଣ୍ଟ ଓ ସିଲଭର ଫିଜାଣ୍ଟ ପକ୍ଷୀ ଆସିବେ
ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ତେଣୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ । ଉତ୍ତରାଖଣ୍ଡର ଡେରାଡୁନ ଚିଡ଼ିଆଖାନା (ZOO)ରୁ ନନ୍ଦନକାନନକୁ ୨ ଟି ରେଡ୍ ପାଣ୍ଡା, ୨ ଟି ଗୋରାଲ (Goral) ଏବଂ ଗୋଲ୍ଡେନ ଫିଜାଣ୍ଟ (Golden Pheasant) ଓ ସିଲଭର ଫିଜାଣ୍ଟ (Silver Pheasant ) ପକ୍ଷୀ ଆସିବେ । ତେବେ ଏହା ବଦଳରେ ନନ୍ଦନକାନନରୁ ଡେରାଡୁନ ଚିଡ଼ିଆଖାନାକୁ ଏକ ଧଳା ବାଘ ଦିଆଯିବ । ଏନେଇ ଦୁଇ ରାଜ୍ୟ ମଧ୍ୟରେ ଏକ ବନ୍ୟପ୍ରାଣୀ ବିନିମୟ ଯୋଜନା ଚୂଡ଼ାନ୍ତ ହୋଇଛି ।ଡେରାଡୁନ ଚିଡ଼ିଆଖାନାକୁ ଧଳା ବାଘ ନେବା ପାଇଁ ବର୍ଷ ବର୍ଷ ଧରି ଉତ୍ତରାଖଣ୍ଡ ବନ ବିଭାଗ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରାଯାଇଥିଲା । ନିରନ୍ତର ଆଲୋଚନା ପରେ ଓଡ଼ିଶା ସରକାର ଉତ୍ତରାଖଣ୍ଡକୁ ଧଳା ବାଘ ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି । ତେବେ ନନ୍ଦନକାନନକୁ ପ୍ରଥମଥର ଆସୁଛନ୍ତି ୫ଟି ପାଣି ଓଧ । ତା’ସାଙ୍ଗକୁ ଭାରତୀୟ ପଥର କଇଁଛ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଆଗକୁ ଆଉ କିଛି ନୂଆ ଜନ୍ତୁ ଆସିବାର ଯୋଜନା ରହିଛି । ତେବେ ଡିସେମ୍ବର ୨୯ ତାରିଖ ନନ୍ଦନକାନନ ପ୍ରତିଷ୍ଠା ଦିବସ ପରେ ପର୍ଯ୍ୟଟକମାନେ ନୂଆ ଖୁଆଡ଼ରେ ବିଦେଶୀ ଜୀବଜନ୍ତୁ ଦେଖିପାରିବେ ବୋଲି ସୂଚନା ମିଳିଛି । ସେହିପରି ଉଦ୍ଭିଦ ଉଦ୍ୟାନରେ ମଧ୍ୟ ନୂଆ ବଗିଚା ନିର୍ମାଣ ଚାଲିଛି, ଯାହା ଖୁବ୍ଶୀଘ୍ର ଶେଷ ହେବ । ଗତ ବର୍ଷ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ଥିଲା । ଚଳିତ ବର୍ଷ ମଧ୍ୟ ଅଧିକ ପର୍ଯ୍ୟଟକ ଦେଶ ବିଦେଶରୁ ଆସିବେ ବୋଲି ଆଶା କରାଯାଉଛି ।
