ନବରାତ୍ରୀର ଚତୁର୍ଥ ଦୁର୍ଗାଙ୍କର ନାମ କୁଷ୍ମାଣ୍ଡା

ହିନ୍ଦୁଧର୍ମରେ ମା’ ଦୁର୍ଗାଙ୍କ ଗଣତି ପ୍ରମୁଖ ଦେବୀ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ । ଶକ୍ତିର ପ୍ରତୀକ ମା’ ଦୁର୍ଗା । ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି । ଆଜି ନବରାତ୍ରିର ଚତୁର୍ଥ ଦିନ । ଆଜି ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ ।କୁଷ୍ମାଣ୍ଡା‌ ଦେବୀ ଦୁର୍ଗାଙ୍କର ଏକ ଅନନ୍ୟ ରୂପ, ଯିଏ ମୃଦୁହାସଦ୍ୱାରା ବ୍ରହ୍ମାଣ୍ଡ ସୃଷ୍ଟି କରିପାରନ୍ତି ।ସେ ସମ୍ପଦ ଓ ଶକ୍ତିର ଉନ୍ନତି କରୁଥିବା ବିଶ୍ୱାସ କରାଯାଏ । ଦେବୀ କୁଷ୍ମାଣ୍ଡା‌ଙ୍କର ଆଠଟି ହାତ ଥିବାରୁ ସେ ଅଷ୍ଟଭୂଜା ଦେବୀ ଭାବରେ ପରିଚିତ । ତାଙ୍କ ଜପାମାଳାରେ ସିଦ୍ଧି ଓ ନିଧି ଦେବାର ସମସ୍ତ ଶକ୍ତି ନିହିତ ଥାଏ । ପ୍ରବାଦ ଅଛି, ସେ କେବଳ ସ୍ମିତ ହସଦ୍ୱାରା ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ । ସେ ଧଳା କ‌ଖାରୁ ବା କୁଷ୍ମାଣ୍ଡକୁ ଭଲ ପାଆନ୍ତି । ତାଙ୍କର ବ୍ରହ୍ମାଣ୍ଡ ଓ କୁଷ୍ମାଣ୍ଡ ସାଥିରେ ସମ୍ପର୍କ ରହିବା ଯୋଗୁଁ ତାଙ୍କର ଏପରି କୁଷ୍ମାଣ୍ଡା ନାମ ହୋଇଛି । ଅଷ୍ଟହସ୍ତରେ ସେ ପଦ୍ମ, ଚକ୍ର, କମଣ୍ଡଳୁ, ଧନୁ, ତୀର, ଗଦା, ମାଳା, ଅମୃତ ପାତ୍ର ଆଦି ଧରିଥାଆନ୍ତି । ତାଙ୍କର ଭକ୍ତମାନଙ୍କୁ ତାଙ୍କର ଗୋଟିଏ ହାତରେ ଥିବା ଅଭୟ ମୁଦ୍ରା ସାହାଯ୍ୟରେ ସେ ଆଶୀର୍ବାଦ ଦିଅନ୍ତି । ବାଘ ହେଉଛି ତାଙ୍କର ବାହନ ।

ଜାଣନ୍ତୁ ପୂଜା ବିଧି :ସକାଳେ ଉଠି ସ୍ନାନ ସାରି ପୂଜା ସ୍ଥାନରେ ଗଙ୍ଗାଜଳ ଛିଞ୍ଚି ଶୁଦ୍ଧ କରିବେ । ପରିସ୍କାର ଏବଂ ସଫା ପୋଷାକ ପିନ୍ଧିବେ । ଏହାପରେ ପୂଜା ସ୍ଥାନରେ ଦୀପ ପ୍ରଜ୍ବଳିତ କରିବେ । ମା’ ଦୁର୍ଗାଙ୍କୁ ଗଙ୍ଗାଜଳରେ ଅଭିଷେକ କରିବେ। ମା’ଙ୍କୁ ଅକ୍ଷତ, ସିନ୍ଦୁର, ଲାଲ ଫୁଲ ଅର୍ପଣ କରିବେ । ମା’ଙ୍କ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରିବା ଉଚିତ । ପୂଜା ସମୟରେ ଗୁଜରାତି, ପାନମଧୁରୀ ଅର୍ପିତ କରିବା ଉଚିତ । ପ୍ରସାଦରେ ଫଳ ଓ ମିଠା ଭୋଗ କରିବେ । ଧୂପ ଓ ଦୀପ ଲଗାଇ ଦୁର୍ଗା ଚାଳିଶା ପାଠ କରିବେ ଓ ମା’ଙ୍କ ଆଳତୀ କରିବେ ।ମା’ କୁଷ୍ମାଣ୍ଡାଙ୍କୁ ପ୍ରସନନ କରିବା ପାଇଁ ମାଲପୁଆ ଭୋଗ ଲଗାନ୍ତୁ।

ମା’ କୁଷ୍ମାଣ୍ଡାଙ୍କ ମନ୍ତ୍ର : ଯାଦେବୀ ସର୍ବଭୁତେଷୁ ମା’ କୁଷ୍ମାଣ୍ଡା ରୁପେଣ ସଂସ୍ଥିତା।
ନମଃସ୍ତସୈ ନମଃସ୍ତସୈ ନମଃସ୍ତସୈ ନମୋ ନମଃ ।