ନରେନ୍ଦ୍ରପୁଷ୍କରିଣୀ(ଚନ୍ଦନଯାତ୍ରା )ଆମ ପୁରୀ ରେ ବର୍ତ୍ତମାନ ସନ୍ଧ୍ୟା ହେଲେ ସମସ୍ତେ ନରେନ୍ଦ୍ର

ନରେନ୍ଦ୍ରପୁଷ୍କରିଣୀ(ଚନ୍ଦନଯାତ୍ରା )ଆମ ପୁରୀ ରେ ବର୍ତ୍ତମାନ ସନ୍ଧ୍ୟା ହେଲେ ସମସ୍ତେ ନରେନ୍ଦ୍ର ପୁଷ୍କରିଣୀରେ ନିଜର ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ଠାକୁର ଙ୍କ ଚନ୍ଦନଯାତ୍ରା ର ଫଟୋ ଓ ଭିଡିଓ ରେ ସୋସିଆଲ ମିଡିଆ ଭର୍ତ୍ତି। ଏହି ସମୟରେ ଆସନ୍ତୁ ଏହି ତୀର୍ଥ ପୁଷ୍କରିଣୀ ବିଷୟରେ କିଛି ଆଲୋଚନା କରିବା।ବିଭିନ୍ନ ସୌଜନ୍ୟରୁ ନରେନ୍ଦ୍ର ପୁଷ୍କରିଣୀ ର ତଥ୍ୟ ସଂଗ୍ରହ କରିବା ସମୟରେ ଜାଣିଲି ଏହି ପୁଷ୍କରିଣୀ ର ଖନନ କୁ ନେଇ ଏକାଧିକ ଲୋକକଥା ଓ ତଥ୍ୟ ରହିଛି। ସବୁଠାରୁ ଗୃହିତ ଲୋକକଥା ହେଲା ଏହା କପିଳେନ୍ଦ୍ର ଦେବଙ୍କ ଦ୍ଵାରା ୧୫ ଶହ /୧୬ଶହ ଶତାବ୍ଦୀରେ ଖୋଦିତ।ଏହି ପୁଷ୍କରିଣୀ ଟି ର ନାମ କପିଳେନ୍ଦ୍ର ଦେବଙ୍କ ସାନଭାଇ ନରେନ୍ଦ୍ର ଦେବଙ୍କ ନାମ ବହନ କରି ନରେନ୍ଦ୍ର ପୁଷ୍କରିଣୀ ହୋଇଛି। ମାଦଳାପାଞ୍ଜି ଅନୁସାରେ ଗଙ୍ଗ ରାଜା ନରସିଂହ ଦେବ ଙ୍କ ମନ୍ତ୍ରୀ ନରେନ୍ଦ୍ର ମହାପାତ୍ର ନରେନ୍ଦ୍ର ଶୌଚ ଖୋଳାଇଥିଲେ।ତେବେ ମୋ ନିକଟରେ ମଧ୍ୟ ଏ ବାବଦରେ କିଛି ପ୍ରମାଣ ନାହିଁ। ତେବେ ଆମେ ଇତିହାସ କୁ ନ ଯାଇ ଏହି ପୁଷ୍କରିଣୀ ବିଷୟରେ କିଛି ଆଲେଚନା କରିବା।ନରେନ୍ଦ୍ର ପୁଷ୍କରିଣୀ ଟି ଦାଣ୍ଡିମାଳ ମୌଜା ରେ ଅବସ୍ଥିତ। ୧୪.୫୩୩ ଏକର ପରିମିତ ସ୍ଥାନ ରେ ଏହା ଛିଡା ହୋଇଛି। ଚତୁର୍ପାଶ୍ଵ ରେ ଭଲ ରାସ୍ତା ରହିଛି ଓ ଯେ କୌଣସି ପାର୍ଶ୍ଵରୁ ଏଥିରେ ଥିବା ଷୋହଳ ଟି ଘାଟରେ ପୁଷ୍କରିଣୀ ମଧ୍ୟ କୁ ଯାଇହେବ। ଲୋକକଥା ଅନୁସାରେ ଏଥିରୁ ଚଉଦ ଟି ଘାଟ ର ନାଁ ନରେନ୍ଦ୍ର ଦେବଙ୍କ ଚଉଦ ଜଣ ମୃତ ପୁଅ ଙ୍କ ନାଁ ରେ, ଗୋଟିଏ ତାଙ୍କ ରାଣୀ କାଳନ୍ଦୀ ଦେବୀ ଙ୍କ ନାଁ ରେ ଓ ମୁଖ୍ୟ ଘାଟ ଟି ନରେନ୍ଦ୍ର ଦେବ ଙ୍କ ନାଁ ରେ ନରେନ୍ଦ୍ର ଚକଡା ଘାଟ ହୋଇଛି। କାଳନ୍ଦୀ ଦେବୀ ଙ୍କ ନାଁ ରେ କାଳନ୍ଦୀ ଘାଟ କୁ ଲାଗି କାଳନ୍ଦେଶ୍ଵର ପୂଜା ପାଉଛନ୍ତି।ନରେନ୍ଦ୍ର ଚକଡା ଘାଟ ରେ ଚାପାସୀନ ହୋଇ ନୌବିହାର ଆରମ୍ଭ କରନ୍ତି ମହାପ୍ରଭୁ। ଦୋଳପୂର୍ଣ୍ଣିମା ପରଦିନ ଅର୍ଥାତ ହୋଲି ଦିନ ସନ୍ଧ୍ୟା ରେ ଏହି ଘାଟ ରେ ମହାପ୍ରଭୁ ଙ୍କ ବେଣ୍ଟ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ।ପୁଷ୍କରିଣୀ ର ମଧ୍ୟ ଭାଗରେ ଏକ ଭାସମାନ ଚନ୍ଦନ ଚକଡା ରହିଅଛି। ନରେନ୍ଦ୍ର ଚକଡ଼ା ଘାଟ ରୁ ଚନ୍ଦନ ଚକଡା କୁ ଏକ ପଥର ରାସ୍ତା ସଂଯୋଗ କରୁଛି। ଏହି ଘାଟ, ରାସ୍ତା ଓ ଚକଡାରେ ୨୧ ଦିନ ଧରି ମହାପ୍ରଭୁ ବାହାର ଚନ୍ଦନର ଲୀଳା ଖେଳା କରନ୍ତି। ପୁଷ୍କରିଣୀ ର ମଝିରେ ଦୀପଦଣ୍ଡି ଓ ଦିପଦଣ୍ଡି ରେ ଗଙ୍ଗା ଯମୁନା ଙ୍କ ମୂର୍ତ୍ତି ରହିଛି। ସୌନ୍ଦର୍ଯ୍ୟ କରଣ ତାଲିକାରେ ନରେନ୍ଦ୍ର ପୁଷ୍କରିଣୀ ମଧ୍ୟ ସ୍ଥାନିତ ହୋଇଥିବାରୁ ଏହାର ଚତୁର୍ପାଶ୍ଵ ର ପ୍ରାଚୀର,ଘାଟ ଆଦି ନୂତନ ଭାବରେ ନିର୍ମିତ ହୋଇ କୃଷ୍ଣ ଲୀଳା ର ବିଭିନ୍ନ ମୂର୍ତ୍ତି ଓ ଆଲୋକମାଳା ରେ ସଜ୍ଜିତ ହୋଇଛି। ନରେନ୍ଦ୍ର ପୁଷ୍କରିଣୀ ଅତ୍ୟନ୍ତ ଗଭୀର। ତେଣୁ ବର୍ତ୍ତମାନ ଏଠାରେ ଚନ୍ଦନଯାତ୍ରା ସମୟରେ ହେଉଥିବା ପାରମ୍ପରିକ ଚନ୍ଦନ ଗାଧୁଆ ବାରଣ କରାଯାଇଛି।ଆଗରୁ ନରେନ୍ଦ୍ର ପୁଷ୍କରିଣୀ କୁ ମିଟିଆଣି ନଦୀ ରୁ ଝର ଥିଲା, ଯାହାଦ୍ଵାରା ଏଥିରେ ସବୁବେଳେ ସ୍ଵଚ୍ଛ ଜଳ ପୂର୍ଣ୍ଣ ହୋଇ ରହୁଥିଲା। ଏବେ ବି ଜଳପୂର୍ଣ୍ଣ ଅଛି ହେଲେ ଏହାକୁ ନଦୀ ସହ ସଂଯୋଗ କରୁଥିବା ଭୂମିତଳ ରାସ୍ତା ଦୁଇଟି ଆଧୁନିକ ଘର ତଳେ ମୃତ। ତେଣୁ ସଦ୍ୟ ଜଳ ଜଳାଶୟ କୁ ପଶିବା ଅସମ୍ଭବ। ଏହି ତୀର୍ଥ ପୁଷ୍କରିଣୀ ଟି ଚାରିପଟେ ବିଭିନ୍ନ ଦେବାଦେବୀ,ଯାଗାଘର ଓ ମଠ ରହିଛି। ଜଗନ୍ନାଥ ବଲ୍ଲଭ ମଠ,ନିର୍ମୋହୀ ଆଖଡ଼ା ମଠ,ବାୟା ବାବା ମଠ,ଜଟିଆ ବାବାଜୀ ଆଶ୍ରମ,ବ୍ରହ୍ମା ଯାଗା, ଗଣେଶ ଗୁରୁଜ ଯାଗା, ମା’ ବିଶ୍ଵେଶ୍ଵରୀ ଙ୍କ ସହ ନବନିର୍ମିତ ଆଉ କେତୋଟି ମନ୍ଦିର ରେ ବାଲି କପିଳେଶ୍ୱର ,ମଙ୍ଗଳା,ଶନିଶ୍ଚର ପୂଜା ପାଉଛନ୍ତି।ମନୋଜ କୁମାର ବଳିୟାରସିଂ,ପୁରୀ।

You might also like