ନାଗାର୍ଜୁନଙ୍କ ଉପରେ ବୁଲଡୋଜର ଆକ୍ସନ!

ତେଲୁଗୁ ଅଭିନେତା ନାଗାର୍ଜୁନ ଅକ୍କିନେନିଙ୍କ ଘରେ ଚାଲିଛି ବୁଲଡୋଜର। ଯଦିଓ ଏହା ତାଙ୍କ ବାସଭବନ ନୁହେଁ, ତେବେ ୧୦ ଏକର ଜାଗାରେ ତିଆରି ହୋଇଥିବା ନାଗାର୍ଜୁନଙ୍କ ଏନ. କନଭେନ୍‌ସନ ହଲକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଖବର ଅନୁଯାୟୀ, ସ୍ଥାନୀୟ ଜଳଭଣ୍ଡାର ତାମିଡି ଚେରେଭୁଙ୍କୁ ବଳପୂର୍ବକ ଦଖଲ କରି ଏହି ସମ୍ମିଳନୀ କେନ୍ଦ୍ର ବେଆଇନ ଭାବେ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପାଇବା ପରେ ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ହାଇଡ୍ରା) ଅଧିକାରୀମାନେ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଅଭିଯୋଗରେ କୁହାଯାଇଛି ଯେ ସାଢେ ତିନି ଏକର ଜମି ଦଖଲ କରି ଏହି କେନ୍ଦ୍ର ନିର୍ମାଣ କରାଯାଇଛି, ଯାହା ପ୍ରଥମେ ହ୍ରଦର ଅଂଶ ଥିଲା।ଅନ୍ୟପଟେ ପ୍ରଶାସନର ଏପରି ପଦକ୍ଷେପକୁ ନେଇ ନାଗାର୍ଜୁନ ଦୁଃଖପ୍ରକାଶ କରିଛନ୍ତି। ସେ କହିଛନ୍ତି, ତାଙ୍କ କନ୍‌ଭେନସନ ହଲ୍‌ ନିର୍ମାଣରେ କୌଣସି ଅନିୟମିତତା ହୋଇନାହିଁ। ତାଙ୍କୁ କୌଣସି ସୂଚନା ଦିଆ ନ ଯାଇ ଘର ଭଙ୍ଗାଯାଇଛି। ଏ ନେଇ ସେ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।