ନାଗ ଚତୁର୍ଥୀ କଣ? ଏହା କଣ ପାଇଁ ପାଳନ ହୁଏ?

ଆର୍ଯ୍ୟାବର୍ତ୍ତରେ ବହୁପ୍ରାଚୀନକାଳରୁ ବିଭିନ୍ନ ଜୀବ ଜନ୍ତୁମାନଙ୍କୁ ପୂଜାକରିବା ପରମ୍ପରା ରହିଆସିଛି l ଗୋମାତା ହିନ୍ଦୁ ଜାତିର ନମସ୍ୟ ଓ ଗୋମାତାଙ୍କ ଦେହରେ ସମସ୍ତ ଦେବା ଦେବୀ ବାସ କରି ଥାନ୍ତି ବୋଲି ବିଶ୍ୱାସ ରହିଛି l ବୃଷଭ ଦେବଦେବ ମହା ଦେବଙ୍କ ବାହନ ଓ ପୂଜ୍ୟ lସେମିତି ସର୍ପ ବା ନାଗ ଦେବତା ପୂଜାର ପରମ୍ପରା ଆମର ବହୁ ଶାସ୍ତ୍ର ଓ ପୁରାଣମାନଙ୍କରେ ଦେଖାଯାଏ l ଅନନ୍ତଶାୟୀ ଶ୍ରୀ ବିଷ୍ଣୁ ସପ୍ତଫଣୀ ନାଗ ଉପରେ ଶୟନ କରିଛନ୍ତି l ସଦାଶିବ,ମାଆ କାଳି ଓ ଦୁର୍ଗାଙ୍କର ଭୂଷଣ ନାଗ l ବାସୁକୀ ନାଗ ପୃଥିବୀକୁ ଶିରରେ ବହନ କରିଛି l ଲକ୍ଷ୍ମଣ ଏବଂ ବଳଦେବ ଶେଷ ନାଗଙ୍କ ଅବତାର ବୋଲି କଥା ରହିଛି l ପ୍ରଭୁ ବଳରାମ ମହାପ୍ରୟାଣ ବେଳେ ନାଗ ରୂପ ଧରି ସାଗର ମଧ୍ୟରେ ଉଭେଇ ଯାଇଥିଲେ l ସମସ୍ତ ଶିବ ମନ୍ଦିରରେ ନାଗ ଫଣା ଛାୟାରେ ଶିବଲିଙ୍ଗ ରହିଥାନ୍ତି l ମହାଭାରତରେ ଦ୍ୱିତୀୟ ପାଣ୍ଡଵ ଭୀମଙ୍କ ବିଷଲଡୁ ଭକ୍ଷଣ ଜନିତ ବିଷ ନାଗ ମାନେ ହରଣ କରି ଥିଲେ l ସେ ପୁଣି ନାଗ କନ୍ୟକା ବେଲାବଳୀକୁ ବିବାହ କରି ଥିଲେ ଯାହାଙ୍କ ଗର୍ଭରୁ ବୀର ବେଲାଳସେନ ଜନ୍ମ ଲାଭ କରିଥିଲେ l ମହାବୀର ଅର୍ଜୁନଙ୍କର ଜଣେ ପତ୍ନୀ ଉଲ୍ଲୁପି ନାଗ କନ୍ୟା ଥିଲେ ଓ ତାଙ୍କ ଗର୍ଭରୁ ପୁତ୍ର ଇରାବନ୍ତ ଜନ୍ମ ହୋଇଥିଲେ l ଅଶ୍ୱସେନ ନାମକ ନାଗ କର୍ଣ୍ଣର ବାଣରେ ଅବସ୍ଥାନ କରି ଅର୍ଜୁନଙ୍କ ଖାଣ୍ଡବ ବନ ଦହନର ପ୍ରତିଶୋଧ ନେବା ଉଦ୍ୟମ କରି ବିଫଳ ହୋଇ ଥିଲେ l କଳି ଯୁଗ ପ୍ରଭାବରୁ କର୍କୋଟକ ନାଗର ବିଷ ଜ୍ୱାଳାରେ ରାଜା ନଳ କୁ ରୂପହୋଇ ପତ୍ନୀ ଦମୟନ୍ତୀଙ୍କଠାରୁ ବିଛିନ୍ନହୋଇ ଯାଇଥିଲେ l ବାସୁକିନାଗକୁ ଖୁଆରଜ୍ଜୁ କରି ଦେବ ଦାନଵ ସାଗର ମନ୍ଥନ କରିଥିଲେ l ପରମ ଶାସ୍ତ୍ର ଶ୍ରୀଭାଗବତର ଵ୍ୟାଖ୍ୟାନ ହୋଇଥିଲା ପରୀକ୍ଷିତ ମହାରାଜଙ୍କୁ ତକ୍ଷକ ନାଗ ଦଂଶନ କରିବ ବୋଲି ବ୍ରହ୍ମ ଅଭିଶାପରୁ l ପଶ୍ଚିମବଙ୍ଗ ଏବଂ ଆସାମରେ ନାଗ ଦେବୀ ମାଆ ମନଶାଙ୍କୁ ପୂଜା କରା ଯାଏ l ତାମିଲନାଡୁ ରାଜ୍ୟର ନାଗରକୈଲ ଠାରେ ନାଗ ଦେବତାଙ୍କର ବିଶାଳ ମନ୍ଦିର ଅଛି ଓ ସେଠାରେ ପ୍ରତ୍ୟହ ନାଗ ପୂଜା ହୋଇ ଥାଏ l ଶାସ୍ତ୍ର ,ପୁରାଣ ଓ ଇତିହାସରେ ଆମର ନାଗମାନଙ୍କ ସମ୍ବଧରେ ବହୁ କାହାଣୀ ଓ ଆଖ୍ୟାୟିକାମାନ ରହିଛି l ପୁଣି ବଦଭ୍ୟାସ ଛାଡୁ ନଥିବା ବ୍ୟକ୍ତିକୁ ଭାଗବତ ବାଣୀ ପ୍ରୟୋଗ କରି କୁହାଯାଏ :- ସର୍ପରେ ଜାତ କଲୁ ମୋତେ l ସ୍ଵଭାଵ ଛାଡ଼ିବି କେମନ୍ତେ llଏସବୁକୁ ଅନୁଧ୍ୟାନ କଲେ ଜଣା ପଡ଼େ ଯେ ଆମ ଭାରତବର୍ଷରେ ନାଗ ବା ସର୍ପ ପୂଜାର ପରମ୍ପରା ବହୁ ପ୍ରାଚୀନ l ନାଗପୂଜା ତାମିଲ ଏବଂ ତେଲୁଗୁ ସମ୍ପ୍ରଦାୟ ଭିତରେ ବହୁଳ ପ୍ରସାର ଲାଭ କରିଛି l ଏହି ପରମ୍ପରାରେ ଗୋଟିଏ ପୂଜା ହେଲା କାର୍ତ୍ତିକ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ନାଗ ଦେବତାଙ୍କ ପୂଜା l

ଏହା ନାଗ ବା ନାଗଲ ଚତୁର୍ଥୀ ଭାବେ ପରିଚିତ l ନାଗପୁଜନ ହିନ୍ଦୁନାରୀମାନଙ୍କ ଅନ୍ୟତମ ପ୍ରଧାନ ବ୍ରତ l ଏହି ବ୍ରତ ପ୍ରଚଳିତହେବା ପଛରେ ସୁନ୍ଦର କିମ୍ବଦନ୍ତୀଟିଏ ଅଛି l ବହୁଦିନ ତଳେ ଅବନ୍ତୀ ଦେଶରେ ଜଣେ ସାଧବ ବାସ କରୁଥିଲେ l ସାଧବଙ୍କର ସାତ ପୁଅ ଓ ସାତ ବୋହୁ ଥିଲେ l ସାଧବ ବଡ଼ ଛଅ ବୋହୁଙ୍କୁ ବହୁତ ଆଦର ସ୍ନେହ କରେ କିନ୍ତୁ ସାନ ବୋହୂକୁ ଆଦୌ ଭଲ ପାଏନାହିଁ l ଘରର ସବୁ କାର୍ଯ୍ୟ ସାନବୋହୂ କରିବାକୁ ତାଗିଦ କରିଥାଏ l ସାନ ବୋହୁ ଘରର ସବୁ କାର୍ଯ୍ୟ ନିର୍ଦ୍ବନ୍ଦରେ ସୁଚାରୁ ରୂପେ କରି ଯାଏ l ଦିନେ ନାଗନାଗୁଣିଙ୍କ ସାତ ପୁଅ ନଦୀରେ ଗଡ଼ିଶା ମାଛ ହୋଇ ଖେଳୁଥିଲେ l ସାଧବ ବୁଢ଼ା ସେଦିନ ନଦୀକୁ ସ୍ନାନ କରିବାକୁ ଯାଇଥିଲା l ସେ ନଦୀରୁ ସେ ସାତଟି ଯାକ ମାଛ ଧରି ଆଣି ସାନ ବୋହୂକୁ ରୋଷେଇ କରିବାକୁ ଦେଲା l ସାନ ବୋହୁ ସେହି ମାଛ ଗୁଡିକୁ ଏରୁଣ୍ଡିବନ୍ଧ ପାଖରେ ରଖିଦେଲା ଓ ରୋଷେଇ କରିବାକୁ ପାସୋରି ଗଲା l ଚାରି ପାଞ୍ଚ ଦିନ ପରେ ତାର ମାଛ କଥା ମନେପଡ଼ିଲା l ସେ ଯାଇ ଦେଖେ ତ ମାଛ ଗୁଡ଼ିକ ସାପଛୁଆ ପାଲଟି ଯାଇ ସେଇଠି ଖେଳୁଛନ୍ତି l ସାନବୋହୁ ସାପଛୁଆ ଗୁଡ଼ିକୁ ଆଣି ରୋଷେଇ ଘରେ ରଖିଲା l ଦୁଧଭାତ ଖାଇବାକୁଦେଇ ସେମାନଙ୍କୁ ପୋଷିଲା l ଅଳ୍ପଦିନ ଭିତରେ ଛୁଆ ଗୁଡ଼ିକ ବଢ଼ି ଗଲେ l ସାନ ବୋହୁ ସେମାନଙ୍କୁ ନେଇ ଗୋଟିଏ ଉଈ ହୁଙ୍କା ପାଖରେ ଛାଡ଼ି ଦେଇ ଆସିଲା l ସେହି ସାପ ଛୁଆ ଗୁଡ଼ିକ କ୍ରମେ ବଡ଼ ହୋଇଗଲେ ଓ ପାତାଳ ପୂରୀକୁ ନିଜ ବାପ ମାଆ ନାଗନାଗୁଣୀଙ୍କ ପାଖକୁ ଚାଲିଗଲେ l ନାଗ ନାଗୁଣୀ ହଜି ଯାଇଥିବା ଛୁଆ ମାନଙ୍କୁ ପାଇ ବଡ଼ ଆନନ୍ଦ ହେଲେ l ଛୁଆମାନେ ତାଙ୍କର ପୂର୍ବ କଥା ଓ ସାଧବ ସାନବୋହୁ କଥା ବପା ମାଆଙ୍କୁ କହିଲେ l ସାନ ବୋହୁ ସେମାନଙ୍କୁ ପାଳି ଥିବାରୁ ତାକୁ ସେମାନେ ଧରମ ଭଉଣୀ କରିଛନ୍ତି ବୋଲି କହିଲେ l

କିଛି ଦିନ ଅତିବାହିତ ହୋଇଗଲା l ଦିନେ ନାଗ ଛୁଆମାନଙ୍କର ତାଙ୍କ ଧରମ ଭଉଣୀ କଥା ମନେ ପଡିଲା l ନାଗଛୁଆମାନେ ବହୁ ପ୍ରକାର ଉପହାର ମାନ ଧରି ଧରମ ଭଉଣୀ ସେହି ସାଧବ ବୋହୂକୁ ସଙ୍ଖୋଳିବା ପାଇଁ ଆସିଲେ l ସାନବୋହୁ ଧରମ ଭାଈ ମାନଙ୍କୁ ଦେଖି ବହୁତ ଖୁସୀ ହେଲା l ନାଗ ଭାଇମାନେ ଧରମଭଉଣୀ ସାନବୋହୁକୁ ଖୁସିରେ ସବାରୀରେ ବସାଇ ପାତାଳପୁରକୁ ଘେନିଗଲେ l ସାଧବବୋହୁ ପାତାଳପୁରରେ ମହାସୁଖରେ ରହି କ୍ରମେ ନିଜ ଘରକଥା ଭୁଲିଗଲା l ଦିନେ ପାତାଳ ପୁରରେ ସେ ଗୋଟିଏ ଘରଖୋଲି ଦେଖେତ ସେ ଘରେ ବିଷଧର ସାପମାନେ ଫଁଫଁ ହୋଇ ଫୁତ୍କାର କରୁଛନ୍ତି l ନାଗ ଓ ନାଗମାତାଙ୍କୁ ପଚାରି ଜାଣିଲା ଏହି ଫୁତ୍କାର କରୁଥିବା ସର୍ପ ମାନେ ସଂସାରରେ ଅସତ୍ୟ, ଅନ୍ୟାୟ, ଅନୀତି, ଅନାଚାର କରୁଥିବା ଲୋକମାନଙ୍କୁ ଦଂଶନ କରନ୍ତି l ସେ ସର୍ପମାନଙ୍କୁ ନିଷ୍ଠାର ସହ ପୂଜା କଲେ ସେମାନଙ୍କ ଠାରୁ ବର ଲାଭ କରି ମନୁଷ୍ୟ ସୁଖ ଶାନ୍ତି ଧନ, ଜନ,ଗୋପ, ଲକ୍ଷ୍ମୀ ଯୁକ୍ତ ହୋଇଥାଏ l କିଛି ଦିନ ପରେ ସାଧଵ ବୋହୁକୁ ସେ ନାଗ ଭାଈ ମାନେ ନାଗ ଲୋକରୁ ନେଇ ତା ନିଜ ଘରେ ଛାଡି ଦେଇ ଆସିଲେ l ସାନ ବୋହୁ ଘରକୁ ଆସି ନାଗ ଲୋକରେ ଶୁଣି ଆସିଥିବା କଥା ଅନୁଯାୟୀ ନାଗ ମାନଙ୍କ ପୂଜା ଆରମ୍ଭ କଲା l କାର୍ତ୍ତିକ ଶୁକ୍ଳଚତୁର୍ଥୀ ଦିନ ସେ ନାଗପୂଜା କରି ଥିବାରୁ ସେହିଦିନଠାରୁ ଏ ନାଗ ପୂଜାର ପ୍ରଚଳନ ହୋଇଛି lସନ୍ତାନ ଏବଂ ଐଶ୍ଵର୍ଯ୍ୟପ୍ରାପ୍ତି କାମନା କରି ମହିଳା ମାନେ ଏହି ନାଗଚତୁର୍ଥୀ ବ୍ରତ ପାଳନ କରିଥାନ୍ତି l

ସାଧାରଣତଃ କିଛି ମହିଳା ଏକତ୍ରିତ ହୋଇ ଏହି ବ୍ରତକୁ ଏକ ଓଷାଭାବେ ପାଳନ କରିଥାନ୍ତି l ଏହି ପୂଜାରେ ଅରୁଆ ଚାଉଳ, ବିରି, ମୁଗଚୁନା ସହିତ ଛେନା, ଗୁଡ଼,ଘିଅ, ନଡ଼ିଆ ମିଶାଇ ଭୋଗ ପ୍ରସ୍ତୁତ କରାଯାଏ l ଓଷେଇତି ମାନେ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ପୂଜା ସ୍ଥାନକୁ ଲିପି ପରିଷ୍କାର କରି ଆସ୍ଥାନ ପ୍ରସ୍ତୁତକରିଥାନ୍ତି l ପୁରୋହିତ ତମ୍ବା, ପିତଳ, ସୁନା, ରୁପା ଇତ୍ୟାଦି ଧାତୁ ନିର୍ମିତ ନାଗ ମାନଙ୍କୁ ହଳଦୀ ପାଣିରେ ସ୍ନାନ କରାଇ ଆସ୍ଥାନ ଉପରେ ନୂତନବସ୍ତ୍ର ଉପରେ ସ୍ଥାପନ କରିଥାନ୍ତି l ସର୍ପ ମାନଙ୍କୁ ଫୁଲ ଚନ୍ଦନ ସିନ୍ଦୁର ଲଗାଇ ବେଶ କରାଯାଏ l ଆସ୍ଥାନ ନିକଟରେ ଉଈହୁଙ୍କା ଖଣ୍ଡେ ରଖି ତାକୁ ଚନ୍ଦନ, ସିନ୍ଦୁର, ଫୁଲ ଦେଇ ସଜାଇ ଦିଆଯାଏ l ପୁରୋହିତ ପୂଜାକରି,ଭୋଗ ଲଗାଇ ନାଗ ଚତୁର୍ଥୀ ମାହାତ୍ମ୍ୟ ପାଠ କରନ୍ତି l ଏହି ପୂଜା ସାଧାରଣତଃ ଅପରାହ୍ନ ସମୟରେ କରା ଯାଇ ଥାଏ l କେତେକ ସ୍ଥାନରେ ଏହି ପୂଜା ଉଈହୁଙ୍କା ପାଖରେ କରାଯାଏ l ଓଷେଇତି ମାନେ ଅତ୍ୟନ୍ତ ନିଷ୍ଠାର ସହିତ ବ୍ରତ ପାଳନକରି ନାଗ ଦେବତାଙ୍କୁ ଭକ୍ତି ନିବେଦନ କରି ଥାଆନ୍ତି l

ଏ ବ୍ରତର ପାଳନ ଵିଧି ଓ ଫଳ ବିଷୟରେ ନାଗ ଚତୁର୍ଥୀ ମାହାତ୍ମ୍ୟ ପୁସ୍ତକରେ ଲେଖାଅଛି :- ବୋଲନ୍ତି ନାଗ ନାଗୁଣୀ କହିବା ଶୁଣ ଦୁଲଣୀ କାର୍ତ୍ତିକ ଶୁକଳ ପକ୍ଷ ଚତୁର୍ଥୀ ପକ୍ଷେ ଯେ l ନାଗ ଚତୁର୍ଥୀ ପୁଣ ଯେ ବୋଲିକରି ଏହି ନାମ ବ୍ରତୀ ଯେ ସକାଳୁ ସ୍ନାନ କରି ବହନ ହେ l *** ମନାସିଲେ ପୁତ୍ର ପାଇ ଆରୋଗ୍ୟ ହୋଇ ଯେ ଚକ୍ଷୁରେ ରୋଗ ନଲାଗଇ,ପ୍ରସନ କାଶି ନାଶ ଯେ ଯେ ଏହି ପୂଜା କରଇ, ପାଦୁକା ପ୍ରସାଦ ପାଇ, ମନାସିଲା କଥା ତାର ହୁଏ ଅପାର ଯେ lନାଗ ଚତୁର୍ଥୀରେ ମାନସିକ ସ୍ୱରୂପେ, ବହୁ ବ୍ୟକ୍ତି ଶିବ ମନ୍ଦିରମାନଙ୍କରେ ତମ୍ବା,ପିତଳ,ସୁନା,ରୁପା ଇତ୍ୟାଦି ଧାତୁ ନିର୍ମିତ ନାଗ ଶଙ୍କରଙ୍କୁ ଲାଗି କରି ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥାନ୍ତି l ନାଗଙ୍କ ପୂଜନ ପାଇଁ ଆମର ଶାସ୍ତ୍ର ମାନଙ୍କରେ ବହୁ ମନ୍ତ୍ର ରହିଛି l ଶାସ୍ତ୍ରରେ ଥିବା କେତେ ଗୁଡିଏ ନାଗଙ୍କ ନାମ ଯଥାକ୍ରମେ ବାସୁକୀ,ପଦ୍ମ,ମହାପଦ୍ମ,ତକ୍ଷକ, କୁଳିର,କର୍କଟ,ଶଂଖପାଳ, ମଣିଭଦ୍ର,ଐରାବତ, ଧ୍ରୁତରାଷ୍ଟ୍ର,ପ୍ରହ୍ଲାଦ ଇତ୍ୟାଦି l ନିମ୍ନ ପ୍ରଦତ୍ତ ନାଗ ମନ୍ତ୍ରରେ ବିଭିନ୍ନ ନାଗ ମାନଙ୍କର ବର୍ଣ୍ଣନା ରହିଛି l ଅନନ୍ତମ୍ ବାସୁକୀମ୍ ଶେଷ ପଦ୍ମନାଭ ଚ କମଲମ୍ l ସଂସ୍ତପାଲ ଧାର୍ତ୍ତରାଷ୍ଟ୍ରମ୍ ତକ୍ଷକଂ କାଲିୟଂ ତଥା ll ଏତାନି ନବ ନାଗାନି ନାଗାନାମ୍ ଚ ମହାତ୍ମନାଂ l ସାୟଂକାଲେ ପଠେନ୍ନିତ୍ୟଂ ପ୍ରାତଃ କାଲେ ବିଶେଷତଃ l ତସ୍ମେ ବିଷଭୟଂ ନାସ୍ତି ସର୍ବତ୍ର ବିଜୟୀ ଭଵେତ llନାଗ ଦେବତାଙ୍କ ପୂଜାରେ ମଣିଷର ଅକାଳମୃତ୍ୟୁ ଭୟ ଦୂର ହୁଏ l ଗୃହସ୍ଥଙ୍କର ଗୃହର, ସର୍ବ ରିଷ୍ଟ ଖଣ୍ଡନହୋଇ ଶାନ୍ତି ବିରାଜମାନ କରେ l ମନୁଷ୍ୟ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇ ସର୍ବତ୍ର ବିଜୟ ଲାଭ କରିଥାଏ l ଆସନ୍ତୁ ଏହି ନାଗ ଚତୁର୍ଥୀର ପବିତ୍ର ଦିନରେ ନାଗ ଦେବତାଙ୍କୁ ପ୍ରାର୍ଥନା କରି ଆଶୀର୍ବାଦ କାମନା କରିବା l ଓଁ ଭୁଜଙ୍ଗେଶାୟ ଵିଦମହେ, ସର୍ପରାଜ ଧୀମହୀ, ତନୋ ନାଗଃ ପ୍ରଚୋଦୟାତ l। ଆଲେଖ୍ୟ ::ଅର୍ଜୁନୀ ଚରଣ ବେହେରା