ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ପୁଆଣିଆଁ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିକୋଣୀୟ ପ୍ରେମ ଏବଂ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି |ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗାଁର ଆଲୋକ ମହାପାତ୍ର।ଶୋଇଥିବା ବେଳେ ସ୍ଵାମୀର ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।ସ୍ଥାନୀୟ ଲୋକଙ୍କ ଅନୁସାରେ, ଦମ୍ପତିଙ୍କ ମଧ୍ୟରେ ପ୍ରାୟ ସମୟ କଳହ ହୋଇଥାଏ । ଶୁକ୍ରବାର ବିଳମ୍ବିତ ରାତିରେ ମଧ୍ୟ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ରାତି ସାଢ଼େ ୧୨ଟା ବେଳକୁ ଘର ଭିତରୁ ଶୋଇଥିବା ଅବସ୍ଥାରେ ଆଲୋକ ମହାପାତ୍ରଙ୍କ ମୃତଦେହ ମିଳିଥିଲା ।
ପୁଆଣିଆଁର ଆଲୋକ ମହାପାତ୍ର ପ୍ରାୟ ୬ ମାସ ତଳେ ଜଟଣୀ ଥାନା ଅଞ୍ଚଳର ଲକିଙ୍କୁ ବିବାହ କରିଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ, ଆଲୋକଙ୍କ ସ୍ତ୍ରୀ ଗତ ରାତିରେ କହିଥିଲେ ସ୍ଵାମୀ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଆଉ ଶନିବାର ସକାଳୁ କହିଛନ୍ତି ବିଷ ଖାଇ ମରିଛନ୍ତି ସ୍ଵାମୀ ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ଖଣ୍ଡପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ହତ୍ୟାକାଣ୍ଡର ସଠିକ ପ୍ରମାଣ ଯୋଗାଡ଼ କରିବା ପାଇଁ ପୋଲିସ ସହ ଏକ ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତ ସ୍ତ୍ରୀ ଲକିକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ସେପଟେ ସ୍ଵାମୀଙ୍କୁ ଛାଡ଼ ଲକି ବାରମ୍ବାର ବାପଘରେ ଯାଇ ରୁହନ୍ତି । ଯାହାକୁ ନେଇ ପରକୀୟା ପ୍ରୀତିରୁ ଲକି, ଆଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରିକି ପୂର୍ବରୁ ଆଲୋକଙ୍କୁ ମାରିବା ପାଇଁ ଲକି ଧମକ ଦେଇଥିବା ସମ୍ପର୍କୀୟ କହିଛନ୍ତି ।
