ନୀଳାଦ୍ରିବିଜେ:ଆମ ସଂସ୍କୃତି ଆମ ଗୌରବ ।।

ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରିସିଦ୍ଧ ରଥଯାତ୍ରାର ଅନ୍ତିମପର୍ବ ହେଉଛି “ନୀଳାଦ୍ରିବିଜେ” । ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଯାତ୍ରା ସାରି ବାହୁଡା ଦଶମୀ ଦିନ ଠାକୁର ମାନେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରନ୍ତି ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ପରିଶେଷରେ ଠାକୁରମାନେ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି, ଏଣୁ ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିବିଜେ’ କୁହାଯାଏ।

ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବା ପରେ ଶ୍ରୀସୁଦର୍ଶନ, ପରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ ରତ୍ନ ସିଂହାସନକୁ ବିଜେ କରାଯିବ। ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ନୀତି କରାଯାଇଥାଏ।

ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀ ବିଜେର ଇତିହାସ

ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଶାସ୍ତ୍ରରେ ଉଲ୍ଲେଖ ରହିଛି ଦ୍ଵାଦଶୀ ଦିନ ମହାପ୍ରଭୁ ନିଳାଦ୍ରୀ ବିଜେ କରନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଏକାଦଶୀ ଦିନ ସୁନାବେଶ, ଦ୍ଵାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ନିଳାଦ୍ରୀ ବିଜେ ହୋଇଥାଏ।

ଏହି ପରମ୍ପରା ଦୀର୍ଘ ଅନେକ ବର୍ଷ ଧରି ପାଳିତ ହୋଇଆସୁଛି। ନିଳାଦ୍ରୀ ବିଜେ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏ ସମ୍ବନ୍ଧରେ ଆଲୋଚନା କରାଯାଇ ପହଣ୍ଡି ହୋଇଥାଏ।

ନିଳାଦ୍ରୀ ବିଜେ ଦିନ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟାଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇଥାଏ। ଏହାପରେ ଦର୍ଶନ ପାଇଁ କିଛି ସମୟ ଭକ୍ତମାନଙ୍କୁ ରଥ ଉପରୁ ଛଡା ଯାଇଥାଏ। ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ।

ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣି ଘରକୁ ବିଜେ କରାଇଥାନ୍ତି। ଏହାପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ। ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ ଅଖଣ୍ଡ ବଇଠା ବସେ।

ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ବଢିଥାଏ। ଜଗମୋହନଠାରେ ମଧ୍ୟ ଏହି ନୀତି ପାଳିତ ହୋଇଥାଏ। ଗୁଣ୍ଡିଚା ମନ୍ଦିରଠାରେ ରଥ ଉପରୁ ଠାକୁରମାନେ ଗୁଣ୍ଡିଚା ଘର ରତ୍ନସିଂହାସନକୁ ପହଣ୍ଡି ବିଜେ କରିବା ସମୟରେ ରଥ ଉପରେ ଯେଉଁ ପ୍ରକାର ନୀତି ଅନୁସୃତ ହୋଇଥାଏ, ଠିକ୍ ସେହିପରି ସିଂହଦ୍ଵାରଠାରେ ନିଳାଦ୍ରୀ ବିଜେ ପହଣ୍ଡିରେ ସମନୀତି ପାଳିତ ହୁଏ।

ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରିବା ପରେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି। ଉଭୟ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥାନ୍ତି। ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ବଢାଇଥାନ୍ତି। ଏହି ସମୟରେ ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ଵାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ଵାର ବନ୍ଦ ରହିଥାଏ ଓ କିଛି କ୍ଷଣ ପରେ ଦ୍ଵାର ଖୋଲିଯାଏ।

ପୁଣିଥରେ ଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ଵାର ନିକଟରେ ବିଜେ କରିବା ସମୟରେ ଉକ୍ତ ଦ୍ଵାର ଭିତର ପଟୁ ବନ୍ଦ କରାଯାଇଥାଏ। ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟ ବିଜୟ ଦ୍ଵାରର ଭିତର ପଟେ ଜନୈକ ଦେବଦାସୀ ଏବଂ ମହାପ୍ରଭୁଙ୍କ ତରଫରୁ ଜଣେ ଦଇତାପତି ଦ୍ଵାରର ଅପରପାର୍ଶ୍ଵରେ ରହିବା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ପରେ ଜୟ ବିଜୟ ଦ୍ଵାର ଫିଟିଥାଏ। ଏହାପରେ ଗଇଁଠାଳ (ଋକ୍ମିଣୀ ବିବାହ କାଳର) ଫିଟେ ଓ ବନ୍ଦାପନା କରାଯାଏ। ମହାପାତ୍ରଙ୍କଦ୍ଵାରା ରସଗୋଲା ଭୋଗ ଭିତରକୁ ସମାହିତ ହୋଇଥାଏ। ଏହାପରେ ଘସା, ବିଡିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥାନ୍ତି।

ଲକ୍ଷ୍ମୀନାରାୟଣ କଳି
ଦେବଦାସୀମାନେ ମହାଲକ୍ଷ୍ମୀଙ୍କ ପ୍ରତିନିଧିତ୍ୱ କରିଥିବା ବେଳେ ଶ୍ରୀଜଗନ୍ନାଥଙ୍କ ପାଇଁ ଦଇତାପତିମାନେ ପକ୍ଷ ବାଢିଥାନ୍ତି ଦୁହିଁଙ୍କ ମଧ୍ୟରେ ବଚନିକା ଆରମ୍ଭ ହୁଏ।
ଆଷାଢ ଶୁକ୍ଳ ଦଶମୀର ଦିନ ରଥୁଁ ବିଜେ ଚକ୍ରପାଣି
ଦେଉଳେ ପଶିଣ ଶ୍ରୀମୁଖେ ଡାକନ୍ତି-
‘କବାଟୁ ହିଟା କିଳଣି ଗୋ ସଖୀ’
ସିନ୍ଧୁର ଦୁଳଣୀ ତ୍ରିଲୋକ ମୋହିନୀ ଦାସିଙ୍କୀ କହନ୍ତି ବାଣୀ-
‘କଳମୁଖ ପ୍ରାୟ ତୁଣ୍ଡ ତ ଶୁଭୁଛି କବାଟ ଦିଅ କିଳଣି ଲୋ ଦାସୀ।
ତାଙ୍କୁ ଭିତରେ ନଦିଅ ପଶିଲୋ ଦାସୀ,
ଘେନିଯା’ନ୍ତୁ ଭଉଣୀ ନିବେଶୀ ଲୋ ଦାସୀ’
ମହାପ୍ରଭୁ ବାହାରେ ରହି ଡାକଛାଡନ୍ତି:
କୋମଳ କରିଣ କମଳ ନୟନ ଭାଷନ୍ତି –
“ରେ ପ୍ରାଣପ୍ରିୟା କବାଟ ଫିଟାଅ,
ମୋ ଦୁଃଖ ତୁଟାଅ, ଦେଖାଅ ବଦନ ଇନ୍ଦୁ।”
ସେହି ଡାକରାକୁ ମହାଲକ୍ଷ୍ମୀ କର୍ଣ୍ଣପାତ ନକରି କହନ୍ତି:
“ଯାଅ ଯାଅ ଫେରି ନୀଳାଦ୍ରି ବିହାରୀ,
ଭଉଣୀଙ୍କି ସଙ୍ଗେ ନିଅ;
ଛାଡି କରିଗଲେ ଦୁଃଖ କରିବଟି ନନ୍ଦରାଜାଙ୍କର ଝିଅ।”
“ସ୍ତୀରି ଜନ୍ମ ହୋଇ ଟିକିଏ ତାହାର ମୁଖରେ ନଥାଇ ଲାଜ,
ତୁମ୍ଭେ ନ ଯାଉ ସେ ରଥରେ ଚଢିଣ, ଆଗେ ହୋଇଥାଏ ସଜ”।
“ଭାଇ ଯେମନ୍ତକୁ ଭଉଣୀ ତେମନ୍ତ କେ କାହାକୁ ନୁହେଁ ଉଣା,
ଗୋପପୁରେ ରହି ଶିଖିଛ ଗୋସାଇଁ ଗଉଡିଆ ବୁଝାମଣା”।
“ତୁମ୍ଭ ଶ୍ରୀମୁଖକୁ ନିତ୍ୟ ଆସିଥାନ୍ତି ଦରଶନ କରିବାକୁ,
ଆପଣେ ଗୁଣ୍ଡିଚା ବାଠି ଯାଇଥିଲେ; କେଉଁ ଦିଅଁ ଦେଖିବାକୁ”।
ଏହାପରେ ଦୁହିଁଙ୍କ ବିତରେ ଦାମ୍ପତ୍ୟ କଳି ବଢେ ! ବାହାରେ ବ୍ରହ୍ମାଣ୍ଡଠାକୁର ଯେଠେ ସରାଗରେ ଗେହ୍ଲେଇ ହୋଇ କହିଲେ ସୁଦ୍ଧା ମହାଲକ୍ଷ୍ମୀଙ୍କ ମନ ତରଳେ ନାହିଁ, ସମସ୍ତ ଚାଟୁ ବଚନ ନିଷ୍ଫଳ ହୋଇଯାଏ, ଓଲଟି ମହାଲକ୍ଷ୍ମୀ ଭୀଷଣ ଭର୍ସନା କରନ୍ତି ମଣିମାଙ୍କୁ । ମହାପ୍ରଭୁ ବୁଝାନ୍ତି ବଡଭାଇ ସଙ୍ଗରେ ଥିବାବେଳେ ଭାଇବୋହୂ ସହଯାତ୍ରିଣୀ ହେବା କିପରି ସଂସ୍କୃତି ବିରୋଧୀ ଏବଂ ଅସୁନ୍ଦର କାର୍ଯ୍ୟ:
“ଜ୍ୟେଷ୍ଠ ସହୋଦର ତୋର ଦେଢଶୁର, ସେ ସଙ୍ଗତେ ଥିଲେ ଯେଣୁ,
ଏସିକଥା ଚିତ୍ତେ ବିଚାରିଣ ତତେ ସଙ୍ଗତେ ନ ନେଲି ତେଣୁ”।
ପୁଣି ନାନା ଆଭୂଷଣ ବସ୍ତ୍ର ଅଳଙ୍କାର ଦେଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ଉଦ୍ୟମ କରନ୍ତି।
“ଫେଡଫେଡ କମଳିନୀ ଫେଡ ଗୋ କବାଟ
ତୁମ ପାଇଁ ଆଣିଅଛି କଳାମେଘୀ ପାଟ“
ତଥାପି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତିନାହିଁ । ଉପହାର ସାମଗ୍ରୀମାନ ଫେରାଇ ନେଇ ଯାହାଙ୍କ ପାଖରେ ସାତଦିନ ବିତାଇଥିଲେ ତାଙ୍କୁ ଦେବାଲାଗି କହନ୍ତି ।

ପ୍ରଭୁ ଖୋଲିଦେଇଛନ୍ତି ତାଙ୍କର ଭାବର ପୁସ୍ତିକା ! କେବଳ ଭକ୍ତକୁ ପ୍ରାଧାନ୍ୟ ଦେବାପାଇଁ ହିଁ ମୋର ନବଦିନାତ୍ମକ ଯାତ୍ରା !
“ମୁଁ ଏ ସଂସାରେ ଅଛି ଛନ୍ଦି
ଭକତ ପାରେ ମୋତେ ବାନ୍ଧି”
ଏହାପରେ ବଡଠାକୁର ବଳଭଦ୍ର ହସ୍ତକ୍ଷେପ କରନ୍ତି । କୁଳବଧୂ ପ୍ରତି କଟୁକ୍ତି ଅନୁଚିତ କହିବା ସହ ମା’ ସାଆନ୍ତାଣୀଙ୍କୁ ଶାନ୍ତ ହେବା ନିମନ୍ତେ ଉପଦେଶ ଦିଅନ୍ତି । ଦେଢଶୁର ହଳପାଣିଙ୍କ କଥା ଅବା କିପରି କାଟିପାରନ୍ତେ ମା’ ଲକ୍ଷ୍ମୀ ସା’ନ୍ତାଣୀ ।
ଶେଷରେ ସରିଥାଏ ପତୀପତ୍ନୀଙ୍କର ଅଭିମାନପର୍ବ, ବାଜିଉଠେ ଘଣ୍ଟଘଣ୍ଟା, ମର୍ଦଳ, ଶଙ୍ଖ ହୁଳହୁଳି ହାସରୋଳ କରତାଳରେ କମ୍ପିଉଠେ ଚତୁର୍ଦିଗ, ମା’ ମହାଲକ୍ଷ୍ମୀ ନିଜର ଅଭିମାନ ଛାଡି ବନ୍ଦାପନା କରି ସ୍ୱାମୀଙ୍କୁ ବଡଦେଉଳକୁ ପାଛୋଟି ନିଅନ୍ତି, ଏବଂ ଶେଷରେ ମହାପ୍ରଭୁ ଆଣିଥିବା ରସଗୋଲା ଖାଇବାକୁ ଦେଇ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରନ୍ତି ।

ଏହା ହିଁ ହେଉଛି “ନୀଳାଦ୍ରିବିଜେ”।
ବର୍ଷକୁ ଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ନୀଳାଦ୍ରିବିଜେ ସମୟରେ ଜଗନ୍ନାଥ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରାଯାଏ। ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ଵ ଗୃହରେ ଅତ୍ୟନ୍ତ ଶୁଦ୍ଧ ପୂତ ଭାବରେ ଏହି ରସଗୋଲା ତିଆରି ହୋଇଥାଏ।ପରମ୍ପରା ଅନୁସାରେ ବିଭିନ୍ନ ମଠ ଏବଂ ସେବକ ନିଯୋଗ ପକ୍ଷରୁ ପ୍ରଭୁଙ୍କୁ ପଂକ୍ତିଭୋଗ କରାଯାଏ।।
ସୌଜନ୍ୟ:: ଆମ ସଂସ୍କୃତି ଓ ପରମ୍ପରା ।।