ନୀଳାଦ୍ରିବିଜେ ପୂର୍ବରୁ ଗଣତି ମଣତି ପାଇଁ ତାଲିକା ପ୍ରସ୍ତୁତ: ମୁଖ୍ୟ ପ୍ରଶାସକ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏସଓପିକୁ ନେଇ ହୋଇଛି ବିସ୍ତୃତ ଆଲୋଚନା । ଏସଓପିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଛି । ଗଣତି ମଣତି ପାଇଁ ୨ଟିମ ଗଠନ ପାଇଁ ନିଷ୍ପତ୍ତି ହୋଇଛି ।ଦୁଇଟି ଯାକ ଟିମକୁ ମୁଖ୍ୟ ପ୍ରଶାସକ ଲିଡ କରିବେ । ତତ୍ୱାବଧାରକ ଟିମ ଓ କାର୍ଯ୍ୟବାହୀ ଟିମ ଗଠନ କରାଯିବ । କେଉଁଦିନ ଠାରୁ ଗଣତି ମଣତି ହେବ ପରିଚାଳନା କମିଟି ସ୍ଥିର କରିବ। ନୀତିବହୁଳ ଦିନମାନଙ୍କରେ ଗଣତିମଣତି ହୋଇପାରିବ ନାହିଁ ।ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ବଣିଆଙ୍କ ତାଲିକା ମଗାଯିବ । ସେଥି ମଧ୍ୟରୁ ୨ ଜଣ ଯାଇ ପାରିବେ । ବିଭିନ୍ନ ଅଳଙ୍କାର ଚିହ୍ନିବାକୁ ଜଣେ ରହିବେ । ଆରବିଆଇରୁ ଜଣେ ରହିବେ । ଆବଶ୍ୟକସ୍ଥଳେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ଗଣତି ମଣତି ସମୟରେ ସାମିଲ କରାଯିବ । ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ ।
ହ୍ୟାଣ୍ଡେଲିଂ ଟିମ୍ରେ ୧୦ ଜଣ ରହିବେ । ଗଜପତି ମହାରାଜା କିମ୍ବା ପରିଚାଳନା କମିଟିର କାର୍ଯ୍ୟକାରୀ ଅଧକ୍ଷ ଚାହିଁଲେ ରହି ପାରିବେ । ୧୯୭୮ ମସିହାରେ ୭୨ ଦିନ ଗଣତି ମଣତି ତାଲିକା ସହ ୧୯୮୨, ୧୯୮୫ ମସିହାର କିଛି ଅଳଙ୍କାର ବାହାରିଥିବାରୁ ମେଳକ କରାଯିବ ।ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି, ଦ୍ୱିତୀୟରେ ବାହାର ରତ୍ନଭଣ୍ଡାରର ଗଣତି ମଣତି କରାଯିବ । ଶେଷରେ ଭିତର ରତ୍ନଭଣ୍ଡାରର ଗଣତି ମଣତି ହେବ ।
