ନୂଆପଡ଼ା ଉପନିର୍ବାଚନ : ଗଣମାଧ୍ୟମରେ ମନଇଚ୍ଛା ବିଜ୍ଞାପନ ଛାପି ପାରିବେନି ରାଜନୈତିକ ଦଳ ଓ ପ୍ରାର୍ଥୀ

ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ସବୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳ ୟରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ଏସ୍‌. ଗୋପାଳନ ବୈଠକରେ କହିଥିଲେ ଯେ, ଚଳିତ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଏଣୁ ନିର୍ବାଚନକୁ ସଫଳ କରିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସମସ୍ତ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ ।ଉପନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ବୈଦ୍ୟୁତିକ, ମୁଦ୍ରଣ ଓ ସାମାଜିକ ଗଣମାଧ୍ୟମ ଏବଂ ଓ୍ବେବ୍‌ମିଡ଼ିଆ ସମେତ ସିନେମା ହଲ୍‌, ରେଡ଼ିଓ, ପୋଷ୍ଟର ଓ ହୋଡ଼ିଂ ଆଦି ଜରିଆରେ ବିଜ୍ଞାପନ ଜାରି ପୂର୍ବରୁ ଆୟୋଗଙ୍କ ଅନୁମତି ଜରୁରୀ । ଏଥି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଅପରାଧିକ ସମ୍ପୃକ୍ତି ନେଇ ଘୋଷଣାନାମା ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶ କରିବା ସହ ଆୟୋଗଙ୍କୁ ଏ ବାବଦରେ ଅବଗତ କରାଇବା ବାଧ୍ୟତାମୂଳକ କରାଯାଇଛି । ଦଳ ଓ ପ୍ରାର୍ଥୀଙ୍କ ଖର୍ଚ୍ଚର ବିବରଣୀ, ତାରକା ପ୍ରଚାରକଙ୍କ ତାଲିକା ଏବଂ ଆଦର୍ଶ ଆଚରଣ ବିଧିର ସଠିକ୍‌ ଅନୁପାଳନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।