ନୂଆବର୍ଷରେ ନେବେ ଦାୟିତ୍ବ ! ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ନୂଆ ନିଯୁକ୍ତି । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗଙ୍କୁ ନିଯୁକ୍ତି ମିଳିଛି । ୧୯୯୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ହେଉଛନ୍ତି ଅନୁ ଗର୍ଗ । ଆସନ୍ତା ୩୧ରେ ସରିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଅନୁ ଗର୍ଗ ହେଉଛନ୍ତି ୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ । ସେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୧୯୬୯ ମାର୍ଚ୍ଚ ୧ରେ ଜନ୍ମ ଗ୍ରହଣ କରିଥିଲେ । ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସମାଜ ଶାସ୍ତ୍ରରେ ଏମ୍.ଏ. ଏବଂ ଜନ୍ସ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ୍ ହେଲଥରୁ ମାଷ୍ଟର ଅଫ୍ ପବ୍ଲିକ୍ରୁ ଶିକ୍ଷା ଲାଭ କରିଛନ୍ତି । ପୂର୍ବରୁ ସେ ଅନେକ ବିଭାଗରେ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ସହ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ନୂଆ ଶାସନ ସଚିବ ନେଇ ଚାରି ଜଣ ଆଇଏସଙ୍କ ନାଁ ଚର୍ଚ୍ଚାରେ ରହିଥିବା ବେଳେ ଅନୁ ଗର୍ଗଙ୍କୁ ନୂଆ ଦାୟିତ୍ବ ମିଳିଛି । ଉଲ୍ଲେଖନୀୟ ଅନୁଙ୍କ ସ୍ଵାମୀ ସୌରଭ ଗର୍ଗ ଏବେ କେନ୍ଦ୍ରରେ ଡେପୁଟେସନରେ ଅଛନ୍ତି । ଅନୁ ଗର୍ଗଙ୍କର ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ସମୟର ଅନୁଭୂତି ରହିଛି । ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ, ବୟନଶିଳ୍ପ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ଉତ୍କର୍ଷତା ପାଇଁ ଜନ୍ ସି. ହ୍ୟୁମ୍ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଅନୁ ଗର୍ଗ ।ଅନୁ ଗର୍ଗଙ୍କ ନାମରେ ମୋହର ବାଜିବା ସହ ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଛନ୍ତି।
