ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ! ଭାରତ ଏବଂ ଚୀନ୍ ଉପରେ ୧୦୦% ଶୁଳ୍କ ଲଗାଇବା ଅଧିକାର ଆମେରିକାକୁ ମିଳିଲା
ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ. ଗ୍ରାହାମ ସ୍ୟାଙ୍କସନିଂ ରୁଷିଆ ଆଣ୍ଡ ଇରାନ ଆକ୍ଟ ଅଫ ୨୦୨୬’ ନାମକ ଆଇନରେ ସ୍ବାକ୍ଷର କରିଛନ୍ତି।ଏହି ଆଇନ ପରେ ରୁଷିଆରୁ ବହୁ ପରିମାଣରେ ତେଲ ଓ ପ୍ରାକୃତିକ ଗ୍ୟାସ କିଣୁଥିବା ଦେଶଗୁଡ଼ିକ ଉପରେ ଭାରୀ ଟାରିଫ ଲଗାଇବା ପାଇଁ ଟ୍ରମ୍ପ ପ୍ରଶାସନକୁ ନୂଆ ଆଇନଗତ ଅଧିକାର ମିଳିଛି। ଏହି ଆଇନ ଭାରତ, ଚୀନ୍, ସ୍ଲୋଭାକିଆ, ହଙ୍ଗେରୀ ଏବଂ ଆଜରବୈଜାନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏହା ଉପରେ ପ୍ରତିକ୍ରିୟା ଦେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଭାରତ ନିଜର ୧୪୦ କୋଟି ଜନସାଧାରଣଙ୍କର ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଗତ କିଛି ମାସ ମଧ୍ୟରେ ଏହି ପ୍ରସଙ୍ଗରେ ବିଭିନ୍ନ ଆମେରିକୀୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ଭାରତ ସ୍ପଷ୍ଟ ଭାବରେ କହିଛି ଯେ, ଏହା କେବଳ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାଇଁ ନୁହେଁ ବରଂ ଅନ୍ତର୍ଜାତୀୟ ଶକ୍ତି ବଜାର ପାଇଁ ମଧ୍ୟ ପ୍ରଭାବ ପକାଇପାରେ। ଯଦିଓ ରୁଷ ତୈଳ ଏବଂ ଗ୍ୟାସର ସର୍ବବୃହତ ଉତ୍ସ ଭାବରେ ରହିଛି, ଭାରତ ବିବିଧ ଉତ୍ସରୁ ଯୋଗାଣ ସୁରକ୍ଷିତ କରିବା ପାଇଁ ପ୍ରୟାସର ଅଂଶ ସ୍ୱରୂପ ଗତ କିଛି ମାସ ମଧ୍ୟରେ ଆମେରିକା ଏବଂ ଭେନେଜୁଏଲାରୁ ଶକ୍ତି କ୍ରୟ ବୃଦ୍ଧି କରିଛି ।ଏହି ଆଇନ ପରେ ଭାରତ ଉପରେ କେତେ ଟାରିଫ ଲାଗିବ କିମ୍ବା ଲାଗିବ କି ନାହିଁ, ତାହା ଏବେ ଆମେରିକା ପ୍ରଶାସନର ପରବର୍ତ୍ତୀ ନିଷ୍ପତ୍ତି ଉପରେ ନିର୍ଭର କରିବ। ଟ୍ରମ୍ପ ପ୍ରଶାସନ କେଉଁ ଦେଶକୁ ଲକ୍ଷ୍ୟ କରିବ ଏବଂ କେତେ ହାରରେ ଟାରିଫ ଲଗାଇବ, ସେନେଇ ଆଗାମୀ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ହେବ।