ପଞ୍ଚଭୂତରେ ଲୀନ ଶାନ୍ତିଲତା

ପଞ୍ଚଭୂତରେ ଲୀନ ହେଲେ ଓଡିଶାର ସ୍ୱର ସାମ୍ରାଜ୍ଞୀ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ଶାନ୍ତିଲତାଙ୍କୁ ବଡ଼ପୁଅ ଅଭିନାଶ ଛୋଟରାୟ ମୁଖାଗ୍ନି ଦେଇଥିଲେ । ସୂଚନା ମୁତାବକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି, ତେବେ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଶେଷରେ ତାଙ୍କର ପରଲୋକ ଘଟିଛି । ଏନେଇ ତାଙ୍କ ସ୍ୱାମୀ ବସନ୍ତ ଛୋଟରାୟ ସୂଚନା ଦେଇଛନ୍ତି ।

ଓଡିଆ ସଙ୍ଗୀତ ଜଗତରେ ବେଶ ଲୋକପ୍ରିୟ ଥିଲେ ଶାନ୍ତିଲତା । ତେବେ ଶାନ୍ତିଲତାଙ୍କୁ ଶେଷ ଦର୍ଶନ କରିବା ପାଇଁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ, ସଞ୍ଜୟ ଦାସବର୍ମା ସ୍ଵର୍ଗଦ୍ଵାର ଯାଇଥିଲେ । ଦିନ ସାଢେ ବାରଟା ସମୟରେ ଶାନ୍ତିଲତାଙ୍କ ମରଶରୀର ସ୍ୱର୍ଗଦ୍ୱାର ଠାରେ ପହଞ୍ଚିଥିଲା । ପରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା ।