ପାଣ୍ଡବ ମାନଙ୍କ ସ୍ଵର୍ଗାରୋହଣ ପର୍ବ ।।

ମହାରାଜା ଯୁଧିଷ୍ଠିରଙ୍କ ଠାରୁ ଏସବୁ ଶୁଣି ଅର୍ଜୁନ କହିଲେ,”ଖବର ଶୁଣନ୍ତୁ ମହାରାଜ! ସଖା ଶ୍ରୀକୃଷ୍ଣଙ୍କ ବିୟୋଗରେ ହତଶିରି ହୋଇଛି।ମୋ ଦେହରେ ତେଜ ନାହିଁ। ସେହି ତେଜ କୃଷ୍ଣଙ୍କ ସାଙ୍ଗରେ ଗଲା।ଜୀବନ ଥାଉଁ ଥାଉଁ ମଲା ଭଳି ହୋଇଛି।ତାଙ୍କ ପାଦରେ ଆଶ୍ରା କରି ଗାଣ୍ଡିବ ଧରିଥିଲି। ତାଙ୍କରି ଆଶ୍ରାରେ ଦ୍ରୁପଦଙ୍କ ରାଜସଭାରେ ଯାଜ୍ଞସେନୀଙ୍କ ସ୍ଵୟମ୍ବର ବେଳେ ଲାଖ ବିନ୍ଧି ତାଙ୍କୁ ପାଇଥିଲି।ଖାଣ୍ଡବବନ ଦହନ ବେଳେ ଶ୍ରୀକୃଷ୍ଣ ମୋ ସାଙ୍ଗରେ ଥିଲେ। ତାଙ୍କରି କୃପାରୁ ମୟଦାନବ ଦ୍ଵାରା ନିର୍ମିତ ଶିଳ୍ପ ନୈପୁଣ୍ୟ ପରିପୂର୍ଣ୍ଣ ଅଦ୍ଭୁତ ସଭାଭବନ ମାୟାସଭା ପାଇଥିଲି। ସେଇଠି ସବୁ ରାଜା ବସି ଅଶ୍ଵମେଧ ଯଜ୍ଞ କାଳରେ ତୁମ ପାଦତଳେ ନିଉଛାଳି ହେଉଥିଲେ। ତାଙ୍କରି ଇଚ୍ଛାରେ ଜରାସନ୍ଧକୁ ବାହୁବଳରେ ଜିତି ରାଜା ମାନଙ୍କୁ ମୁକ୍ତ କରାଗଲା। ସେହି ରାଜା ମାନେ ତୁମର ବଶ୍ଯତା ସ୍ଵୀକାର କଲେ। କପଟପାଶା ଆଳରେ ଯାଜ୍ଞସେନୀଙ୍କ କେଶ ଧରି କୁରୁସଭା ତଳେ ଯେତେବେଳେ ବିବସନା କରିବାକୁ ଚେଷ୍ଟା ହେଲା, ସେତେବେଳେ ଭୟରେ ସେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ। ସେହି ଶ୍ରୀକୃଷ୍ଣ ତାଙ୍କୁ ରକ୍ଷା କଲେ। ପୁଣି ଅଜ୍ଞାତ ବନବାସ କାଳରେ ଦୁର୍ବାସା ୠଷି ଅୟୁତ ବିପ୍ର ଧରି ଭୋଜନ ପାଇଁ ପହଞ୍ଚିଲେ।ସେ ସ୍ନାନ କରିବାକୁ ଗଲେ। ସେକଥା ଶ୍ରୀକୃଷ୍ଣ ଜାଣି ଅତିଥି ରୂପରେ ବିଜେ କଲେ। ଯେଉଁ ଅବଶିଷ୍ଟ ଶାକ ଅନ୍ନ ଥିଲା,ତାକୁ ହାତ ବଢ଼ାଇ ଖାଇଲେ।ସେ ମୁନିମାନଙ୍କ ମନ ମଧ୍ୟକୁ ଯାଇ ସେମାନଙ୍କୁ ଜଳ ମଧ୍ୟରେ ସନ୍ତୁଷ୍ଟ କଲେ। ତେଣୁ ବ୍ରାହ୍ମଣ ମାନେ ସନ୍ତୋଷ ମନରେ ଯେ ଯାହା ଘରକୁ ଗଲେ। ସେହି ଦୁଃଖରୁ ଶ୍ରୀହରି ଉଦ୍ଧାର କଲେ। ତାଙ୍କରି ତେଜରେ ଧନୁ ଟାଣି ବନରେ ଭଗବାନ ଶିବଙ୍କୁ ଜିଣିଥିଲି। ମୋତେ ସନ୍ତୋଷ ମନରେ ଉମାକାନ୍ତ ବର ମାଗ ବୋଲି କହିଲେ।ମା ପାର୍ବତୀଙ୍କ ବିଶ୍ବାସରେ ଶଙ୍କରଙ୍କ ଠାରୁ ପାଶୁପତ ଅସ୍ତ୍ର ପାଇଲି।ଶିବଙ୍କ ବିଶ୍ଵାସରେ ପାର୍ବତୀ ମୋତେ ଅକ୍ଷୟ ତୂଣୀର ଦେଲେ।ସେ ଦୁଇ ଅସ୍ତ୍ର ପାଇ ଶ୍ରୀହରିଙ୍କ ବିଶ୍ଵାସରେ ଇନ୍ଦ୍ର ଭୁବନରେ ପହଞ୍ଚିଲେ। ବିଷ୍ଣୁଙ୍କ ତେଜରେ ମୋତେ ଦେଖି ସବୁ ଦେବତା ମାନେ ଇନ୍ଦ୍ରଙ୍କ ଆସନରେ ବସାଇଲେ। ମୁଁ କିଛି ଦିନ ଇନ୍ଦ୍ରପୁରରେ ରହି ଅସୁରବଳ ବିନାଶ କଲି।ଇନ୍ଦ୍ରଙ୍କ ସହିତ ଦେବତାମାନେ ମୋତେ ପୁରସ୍କୃତ କଲେ। ସେହି ଶ୍ରୀକୃଷ୍ଣଙ୍କ ତେଜରୁ ମୋର ପୁରୁଷାକାର। ସେହି ଶ୍ରୀହରି ମୋତେ ଛାଡ଼ି ଚାଲିଗଲେ। କୁରୁ ପାଣ୍ଡବଙ୍କ ଯୁଦ୍ଧରେ କୌରବଙ୍କ ସାଗର ଭଳି ସେନାକୁ ସେହି ଶ୍ରୀକୃଷ୍ଣଙ୍କ ବନ୍ଧୁ ପଣ ପାଇଁ ଆମେ ଜୟ କରିଥିଲେ। ଏକଥା ଦେବ ମାନବଙ୍କୁ ଅଗୋଚର।ବିରାଟ ରାଜାଙ୍କ ଗୋଧନ ହରଣ ବେଳେ ସେହି ଶ୍ରୀକୃଷ୍ଣଙ୍କ ଦୟାରୁ ଯାହା ଭରଷା ପାଇଥିଲି, ସେହି ମୋତେ ଆଜି ଛାଡି ଚାଲିଗଲେ। ଭୀଷ୍ମ,କର୍ଣ୍ଣ,କୃପ, ଶଲ୍ୟ ଆଦି ଯେତେ ନୃପ ଥିଲେ, ସେମାନଙ୍କ ଆଗରେ ସେ ରଥ ଅଶ୍ଵର ଲଗାମ ଧରି ସାରଥି ହୋଇଥିଲେ।ସେହି ଶ୍ରୀକୃଷ୍ଣଙ୍କ ପାଇଁ ମହାବଳୀ ନୃପ ମାନେ ପରାଜିତ ହୋଇଥିଲେ। ବୀର ଶ୍ରେଷ୍ଠ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଆଦି ବୀର ମାନେ ଅମୋଘ ଅସ୍ତ୍ର ବର୍ଷଣ କରନ୍ତି, ସେସବୁ ଅସ୍ତ୍ର ମୋ ଦେହରେ ଭେଦ କରନ୍ତି ନାହିଁ। ନୃସିଂହ ଙ୍କ ପାଦକୁ ଆଶ୍ରା କରି ଯେମିତି ପ୍ରହ୍ଲାଦ ତରିଗଲେ, ସେହିପରି ଶ୍ରୀକୃଷ୍ଣଙ୍କ ଚରଣକୁ ଆଶ୍ରା କରିଥିବାରୁ ସେହି ବୀର ମାନଙ୍କ ବଳବୀର୍ଯ୍ୟ ହରଣ ହୋଇଗଲା।ଜୟଦ୍ରଥର ବଧ ସମୟରେ ମୋର ଅଶ୍ଵ ତୃଷାର୍ତ୍ତ ହେବାରୁ ସେମାନଙ୍କୁ ଜଳ ଦେବାକୁ ମୁଁ ରଥରୁ ଭୂମିକୁ ଓହ୍ଲାଇଲି। ମହାରଥୀ ମାନଙ୍କ ମନ ମଧ୍ୟରେ ଭାବଗ୍ରାହୀ ପ୍ରବେଶ କଲେ। ମୋତେ ସେହି ବୀର ମାନେ ଆଖିରେ ଦେଖିଲେ ମଧ୍ୟ କେହି ମୋତେ ମାରିଲେ ନାହିଁ।ଯାହାଙ୍କ ପାଦପଦ୍ମରେ ଜ୍ଞାନୀମାନେ ସର୍ବଦା ମନ ରଖିଥାନ୍ତି, ତାଙ୍କୁ ମୁଁ ଅଜ୍ଞାନ ପଣରେ ସାରଥି କଲି। ସେହି କୃଷ୍ଣ ମୋ ପାଖରେ ବସି ସ୍ମିତହାସ୍ୟରେ ମୋର ହାତ ଧରି ବିବିଧ ପରିହାସ କରନ୍ତି। ମୋତେ ହେ ପାର୍ଥ, ଅର୍ଜୁନ,ସଖେ,କୁରୁନନ୍ଦନ ବୋଲି ଡାକନ୍ତି। ତାଙ୍କର ଯେତେକ ଗୁଣକର୍ମ,ମୋ ଚିତ୍ତକୁ ଶୟନେ,ଆସନେ,ଭୋଜନେ କ୍ଷୋଭିତ କରୁଛି।ମୋ ସହିତ ସଖା ପରି ମୋ ହାତକୁ ହାତରେ ଧରି ଚାଲନ୍ତି। ମୁଁ ପାପୀ କେବେ କେବେ ତାଙ୍କୁ ତିରସ୍କାର କରିଛି।ସେ ମୋ ଅପରାଧ ମନରେ ନନେଇ ମୋତେ ସ୍ନେହ କରିଛନ୍ତି। ମୋତେ ସେ ସଖା, ପିତାମାତା କିମ୍ବା ପୁଅ ଭଳି ସହିଛନ୍ତି।ହେ ମହାରାଜା! ମୋତେ ସେହି ଚକ୍ରପାଣି ବର୍ଜନ କଲେ।


ମୋର ବୀରପଣ ଦେଖ! ଶ୍ରୀକୃଷ୍ଣଙ୍କ ପତ୍ନୀ ମାନଙ୍କୁ ମୁଁ ସୁରକ୍ଷା ଦେଇ ପାରିଲି ନାହିଁ।ଗାଣ୍ଡୀବ ଧନୁ, ଅକ୍ଷୟ ତୂଣୀର, ବିମାନ,ଅଶ୍ଵ ସବୁ ଏବେ ନିଷ୍ପ୍ରଭ।ଏବେ ବନ୍ଧୁ ବାନ୍ଧବମାନଙ୍କ ଖବର ଶୁଣନ୍ତୁ! ଯଦୁ ବଂଶୀୟ ମାନେ ଏରକାର ବନରେ ବାରୁଣୀମଦ୍ଯ ପାନଙ କଲେ।ନିଶାଭୋଳ ହୋଇ ହତଜ୍ଞାନ ହେଲେ।ପରସ୍ପର ମଧ୍ୟରେ ମୁଷ୍ଟିଯୁଦ୍ଧ କଲେ।ହାତରେ ହାତ ଧରାଧରି ହୋଇ ମରାମରି ହେଲେ।ବ୍ରହ୍ମଶାପ ବଳରେ ପରସ୍ପର ମଧ୍ୟରେ ମୁଷ୍ଟିଯୁଦ୍ଧ କରି ଯାଦବ ବଂଶ ନାଶ ହେଲେ। ଶେଷରେ ମାତ୍ର ଚାରି ପାଞ୍ଚ ଜଣ ରହିଲେ।ଯଦୁବଂଶୀଙ୍କୁ ଯଦୁବଳଙ୍କ ମାଧ୍ୟମରେ ମାରି ଅବନୀ ଭାରା ଉଶ୍ୱାସ କଲେ।”
ସୂତ କହିଲେ,”ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କିପରି ମହାଭାରତ ଯୁଦ୍ଧ ସମୟରେ ଭଗବତ ଗୀତା କହିଥିଲେ, ସେକଥା ସେ ସ୍ମରଣ କଲେ। ଅର୍ଜୁନ ସ୍ଥୁଳ ଶରୀର ଉପରେ ଆଶା ତ୍ଯାଗ କଲେ। ଅର୍ଜୁନ ଠାରୁ ସବୁ କଥା ଶୁଣି ଧର୍ମାତ୍ମା ନୃପ ଚୂଡ଼ାମଣି ଧର୍ମନନ୍ଦନ ଯୁଧିଷ୍ଠିର ସ୍ଵର୍ଗାରୋହଣ ପାଇଁ ନିଶ୍ଚୟ କଲେ। କୁନ୍ତୀ ନିଜ ପୁରରେ ଥିଲେ।ସେ ଶ୍ରୀକୃଷ୍ଣଙ୍କ ବିୟୋଗ କଥା ଶୁଣିଲେ।ସେ ଦିବ୍ୟଜ୍ଞାନ ପାଇ ଗୋବିନ୍ଦ ଭାବରେ ଲୀନ ହେଲେ। ଯେଉଁ ଦିନରୁ ଭଗବାନ ଶ୍ରୀକୃଷ୍ଣ ଦେହତ୍ୟାଗ କଲେ, ସେହି ଦିନଠାରୁ କଳି ପ୍ରବେଶ କଲେ। ଧର୍ମନନ୍ଦନ ଯୁଧିଷ୍ଠିର ସ୍ଵର୍ଗାରୋହଣ କଥା ମନରେ ଚିନ୍ତା କରି ଉତ୍ତମ ରାଜଲକ୍ଷଣ ଯୁକ୍ତ ପରୀକ୍ଷିତ ଙ୍କୁ ହସ୍ତିନାପୁରରେ ଅଭିଷିକ୍ତ କରାଇଲେ। ଅନିରୁଦ୍ଧ ପୁତ୍ର ପରୀକ୍ଷିତ ଙ୍କୁ ରାଜ୍ୟ ଭାର ଦେଇ ନୃପମଣି ଯୁଧିଷ୍ଠିର ଓ ତାଙ୍କ ପଛେ ପଛେ ଭୀମ, ଅର୍ଜୁନ, ନକୁଳ, ସହଦେବ ଆଦି ଚାରି ଭାଇ ଉତ୍ତର ଦିଗରେ ଚାଲିଲେ। ବିଦୁର ବନବାସରେ ପ୍ରଭାସ ତୀର୍ଥରେ ମୋକ୍ଷ ଆଶାରେ ଥିଲେ। ଗୋବିନ୍ଦ ଙ୍କ ଚରଣରେ ଆଶ୍ରା ରଖି ପ୍ରାଣ ଛାଡ଼ିଲେ। ନକ୍ଷତ୍ର ମଧ୍ୟରେ ଚନ୍ଦ୍ର ସଦୃଶ୍ୟ ସେ ନିଜ ଭୁବନକୁ ବିଜେ କଲେ। ବ୍ରାହ୍ମଣ ଶାପରୁ ନିସ୍ତାର ପାଇଲେ।
ସ୍ଵାମୀଙ୍କ ପଥ ଅନୁସରଣ କରି ଦ୍ରୁପଦ ନନ୍ଦିନୀ କୃଷ୍ଣଙ୍କ ପାଖରେ ପଞ୍ଚପ୍ରାଣ ସମର୍ପି ପ୍ରାଣତ୍ୟାଗ କଲେ। ଲୋକକଥା ଅନୁସାରେ ଯୁଧିଷ୍ଠିରଙ୍କ ପଛରେ ଥିବା ପାଣ୍ଡବ ଚାରି ଭାଇ ସଂସାର ମାୟା ଦୂର କରି ଜଗତ ମଧ୍ୟରୁ ନିସ୍ତାର ପାଇ ଦେହତ୍ୟାଗ କଲେ। କେତେକ ପୁରାଣରେ ଧର୍ମନନ୍ଦନ ଯୁଧିଷ୍ଠିର ସ୍ଵଦେହରେ ସ୍ଵର୍ଗରେ ପହଞ୍ଚିଥିଲେ।”
କୃଷ୍ଣ ମହିମା ସୁଧାରସ।।
ଆଲେଖ୍ୟ:: ବାବାଜୀ ଚରଣ ଦାସ।
କୋକିଳା ଗ୍ରୀନ୍ ଆପାର୍ଟମେଣ୍ଟ, ପଞ୍ଚସଖା ନଗର,ଡୁମୁଡୁମା, ଭୁବନେଶ୍ବର-୧୯।