ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀମନ୍ଦିରରେ ପାଳନ ହୋଇଯାଇଛି
ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀମନ୍ଦିରରେ ପାଳନ ହୋଇଯାଇଛି ଦୁଇ ଦୁଇଟି ପର୍ବ।ଗୋଟିଏ ପଟରେ ରଥ ନିର୍ମାଣ ଅନୁକୂଳ ହୋଇଥିବା ବେଳେ ଅନ୍ୟପଟରେ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିବାର ପରମ୍ପରା ସମ୍ପନ୍ନ ହୋଇଛି । ପବିତ୍ର ଅକ୍ଷୟ ତୃତୀୟା ଆଜିର ଦିନରେ ମହାପ୍ରଭୁଙ୍କ ରଥ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ବନଜାଗ ବିଧିରେ ପୂଜା କାର୍ଯ୍ୟ ସହ ସୁନା କୁରାଢିରେ ରଥ କାଠ ଛେଦନ ହୋଇ ହୋଇଛି ଅନୁକୂଳ । ରଥ ନିର୍ମାଣ ଅନୁକୂଳ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ଯାଇଥିବା ବେଳେ ପୂଜାର୍ଚ୍ଚନା ପାଇଁ ତିନି ଧଉରା କାଠ ରଖାଯାଇଥିଲା।ସେପଟେ ଶ୍ରୀଚନ୍ଦନ ଯାତ୍ରା ସମୟରେ ଭିଡକୁ ଲକ୍ଷରେ ରଖି ଜଣେ ଅତିରିକ୍ତ ଏସପି,୫ ଜଣ ଡିଏସପି ବା ଆସିଷ୍ଟାଣ୍ଟ କମଣ୍ଡାଣ୍ଟ,୮ ଜଣ ଇନ୍ସପେକ୍ଟର ,୨୫ ଜଣ ସବ ଇନ୍ସପେକ୍ଟର ଓ ଏ ଏସ ଆଇ ,୪ହାବିଲଦାର,୫୮ ଜଣ ହୋମଗାର୍ଡ ଓ ୫ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ସିଦ୍ଧି ଓ ଶୁଦ୍ଧିର ତିଥିରେ ସମ୍ପାଦିତ ହେଲା ରଥନିର୍ମାଣ ଅନୁକୂଳ। ବୈଶାଖ ଶୁକ୍ଳ ତୃତୀୟା ଅର୍ଥାତ୍ ଅକ୍ଷୟ ତୃତୀୟା ରେ ବିଧି ମୁତାବକ ରଥ ନିର୍ମାଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଛନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢିର ସ୍ପର୍ଶ କରାଯାଇଥିଲା। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସି ଥିଲା। ଏହାକୁ ବିଧି ମୁତାବକ ତିନିଜଣ ପୂଜାପଣ୍ଡା ଆଣିଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ପାଳନ କରାଯାଇଥିଲା। ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୋଇଥିଲା। ପରେ ବିଧିବଧ ପୂଜାର୍ଚ୍ଚନା ସାରି ବିଶ୍ୱକର୍ମାମାନେ ଶାଢ଼ି ବନ୍ଧାଇ ସ୍ଵତନ୍ତ୍ର କୁରାଢ଼ିରେ ରଥ ନିର୍ମାଣ ଅନୁକୂଳ କରଥିଲେ।ଆସନ୍ତାକାଲି ଠାରୁ ଶ୍ରୀନହର ସମ୍ମୁଖ ଚାଳିଆରେ ପବିତ୍ର ଘୋଷ ଯାତ୍ରା ପାଇଁ ୩ଟି ରଥ ତିଆରିର ଶୁଭାରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଚକ ପାଇଁ ତୁମ୍ଭ ନିର୍ମାଣ କରିବେ ମହାରଣା ସେବାୟତ ।
ଅନ୍ୟପଟରେ ବିଧି ମୁତାବକ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରାର ପର୍ବ ଆରମ୍ଭ ହୋଇଛି। ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ ।ଶ୍ରୀମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ। ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।ଏହି କ୍ରମରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଓ ପଞ୍ଚମହାଦେବ । ସେପଟେ ଚନ୍ଦନଯାତ୍ରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଏସପି କହିଛନ୍ତି।
ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ସାଧାରଣ ମଣିଷ ପରି ଶୀତଳ ଉପଚାରରେ ରହିବେ।ଅନ୍ୟପଟରେ ରଥକାଠ ଅନୁକୂଳ ପରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧିବଦ୍ଧ ରଥ ନିର୍ମାଣ କାର୍ଯ୍ୟ ।
