ପରାଜୟ ପାଇଁ ନିଜକୁ ଦାୟୀ କଲେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର
ଦ୍ବିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଠାରୁ ୪୦୮ ରନରେ ପରାଜୟ । ଟେଷ୍ଟ ଇତିହାସରେ ଭାରତର ଏହା ରନ୍ ବ୍ୟବଧାନରେ ସବୁଠାରୁ ବଡ଼ ପରାଜୟ ଘଟିଛି । ଏହି ପରାଜୟ ପରେ ଏବେ ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କ ସହ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ତେବେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଯେଉଁଥିରେ ତାଙ୍କୁ ପଚରାଯାଇଛି ଯେ ସେ ଟେଷ୍ଟ କ୍ରିକେଟ ମୁଖ୍ୟ ପ୍ରଶିକ୍ଷକ ପଦବୀ ପାଇଁ ଉପଯୁକ୍ତ ବ୍ୟକ୍ତି କି? ସେ ଉତ୍ତର ଦେଇଥିଲେ, ବିସିସିଆଇ ନିଷ୍ପତ୍ତି ନେବ, କିନ୍ତୁ ମନେରଖନ୍ତୁ, ମୁଁ ସେହି ବ୍ୟକ୍ତି ଯାହାଙ୍କ ନେତୃତ୍ୱରେ ଭାରତ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିଥିଲା, ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ଏବଂ ଏସିଆ କପ ଜିତିଥିଲା।ଗମ୍ଭୀର କହିଛନ୍ତି, ମୁଁ ଏହି ବିଫଳତା ପାଇଁ ଦଳଗତ ଭାବେ ସମସ୍ତେ ଦାୟୀ । ଯାହା ମୋ ଠାରୁ ଆରମ୍ଭ ହେଉଛି । ଅବଶ୍ୟ ଯଦି କୋଚ୍ ଭାବେ ଟେଷ୍ଟରେ ଗମ୍ଭୀରଙ୍କ ପ୍ରଦର୍ଶନକୁ ବିଚାର କରାଯିବ ତେବେ ତାହା ଆଦୌ ଉତ୍ସାହଜନକ ନୁହେଁ । କାରଣ ଭାରତୀୟ ଦଳ ତାଙ୍କ ଅଧିନରେ ୧୮ଟି ଟେଷ୍ଟ ଖେଳି ୧୦ଟି ହାରିଛି । ଆଉ ସବୁଠାରୁ ବଡ଼ ଝଟକା ହେଲା ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ ସିରିଜ୍ ହାରିବା । ଗମ୍ଭୀରଙ୍କ ଖେଳାଳି ଚୟନକୁ ନେଇ ପ୍ରଶ୍ନ ଉଠିଛି । କାରଣ ସେ ସ୍ପେସିଆଲିଷ୍ଟଙ୍କ ସ୍ଥାନରେ ଅଧିକ ଅଲରାଉଣ୍ଡରଙ୍କୁ ଦଳରେ ନେବାକୁ ପସନ୍ଦ କରିଥିଲେ । ଯାହା ବିଫଳ ରଣନୀତି ଥିଲା । ତେବେ ଗମ୍ଭୀର କିନ୍ତୁ ସମାଲୋଚନାକୁ ଏଡ଼ାଇ କହିଛନ୍ତି ଯେ ଟେଷ୍ଟ କ୍ରିକେଟରେ ଅତି ଦକ୍ଷ କିମ୍ବା ଆକ୍ରମଣାଭିମୁଖୀ ବ୍ୟାଟ୍ସମ୍ୟାନଙ୍କର ଆବଶ୍ୟକତା ନାହିଁ । ଦକ୍ଷତା କମ୍ ଥିଲେ ଚଳିବ କିନ୍ତୁ କଠିନ ପରିସ୍ଥିତିର ସାମନା କରିବାର ସାମର୍ଥ୍ୟ ଥିବା ଦରକାର ।
