ପରମ୍ପରାର ଊର୍ଦ୍ଧ୍ୱକୁ ଯାଇ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଝିଅ କରିଲେ ହୋମଯଜ୍ଞ

କେରଳ କାସରଗୋଡର ଅସୀମା ଅଗ୍ନିହୋତ୍ରୀ । ପରମ୍ପରାର ଊର୍ଦ୍ଧ୍ୱକୁ ଯାଇ ସେ ବୈଦିକ ମନ୍ତ୍ର ଉଚ୍ଚାରଣ କରି ମହାଗଣପତି ହୋମ କରୁଛନ୍ତି । କେରଳରେ ପାରମ୍ପରିକ ଭାବେ ଏହି କାମ ପୁରୁଷମାନେ କରି ଆସୁଥିଲେ । ସତ୍ୟ ନାରାୟଣ ଏବଂ ରଞ୍ଜିତା କୁମାରୀଙ୍କ ଝିଅ ଅସୀମା ପ୍ରଥମ କରି ବୈଦିକ ମନ୍ତ୍ର ଉଚ୍ଚାରଣ ସହ ହୋମ କରି ପୁରା ଦକ୍ଷିଣ ଭାରତରେ ଉଦାହରଣ ସୃଷ୍ଟି କରିଛନ୍ତି ।ଅସୀମା କର୍ଣ୍ଣାଟକର ପୁତ୍ତୁରରେ ପ୍ରୀ-ୟୁନିଭର୍ସିଟିର ଛାତ୍ର ଅଟନ୍ତି । ଗଣପତି ହୋମ କରିବା ସମୟରେ ଭାଇ ଅଦ୍ୱୈତ ତାଙ୍କୁ ସାହାଯ୍ୟ କରିଥିଲେ । ଅସୀମା ଖାଲି କାସରଗୋଡ ନୁହେଁ, କର୍ଣ୍ଣାଟକର ଅନେକ ସ୍ଥାନରେ ଗଣପତି ହୋମର ଆୟୋଜନ କରାଇଛନ୍ତି ।

ପରମ୍ପରା ନାଁରେ ଯେତେବେଳେ ଅନ୍ଧବିଶ୍ୱାସ ଅଣନିଃଶ୍ୱାସୀ କରିଦିଏ, ସେତେବେଳେ ସମସ୍ତେ ଏଥିରୁ ମୁକ୍ତି ଚାହାଁନ୍ତି । ଖାଲି କେହି ଜଣେ ବାଟ ଦେଖାଇବା କଥା । ଏହା ହିଁ ପ୍ରମାଣିତ ହୋଇଥିଲା ଅସୀମାଙ୍କ କ୍ଷେତ୍ରରେ । ସେ ପ୍ରଥମେ ଅଦୁର ସ୍ଥିତ ନିଜ ଘରେ ପ୍ରଥମେ ଗଣପତି ହୋମର ଆୟୋଜନ କରିଥିଲେ । ପରେ ପରେ ଆଖପାଖ ଘରୁ ନିମନ୍ତ୍ରଣ ଆସିଥିଲା । ମୁଲେରିଆ ସ୍ଥିତ ବିଦ୍ୟାଶ୍ରୀରେ ଏବଂ ପୁତ୍ତୁରସ୍ଥିତ ଏକ କଲେଜ ଭବନରେ ଏକ କାର୍ଯ୍ୟକ୍ରମ ସମୟରେ ଅସୀମା ନିଜେ ହୋମ କରିଥିଲେ । ପ୍ରଥମେ ପ୍ରଥମେ ତ କିଛି ଲୋକ ଏହାକୁ ଗ୍ରହଣ କରି ପାରି ନ ଥିଲେ । ହେଲେ ଅସୀମାଙ୍କ କଣ୍ଠରେ ମନ୍ତ୍ରର ସ୍ପଷ୍ଟ ଉଚ୍ଚାରଣ ସମସ୍ତଙ୍କୁ ଚକିତ କରି ଦେଇଥିଲା । ଏହା ପରେ ତାଙ୍କୁ ବିରୋଧ ନୁହେଁ ସମସ୍ତେ ସ୍ୱାଗତ କରିଥିଲେ ।