ପରଲୋକରେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ

ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସର୍ବାଧିକ ୨୩ଥର କଂସ ମହାରାଜ ଅଭିନୟ କରିଥିବା ଗୋପାଳ ସାହୁ ଓରଫ୍ ଏଲି ଆଉ ନାହାନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି।
ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଗୋପାଳ ସାହୁ ବରଗଡ଼ ଧନୁଯାତ୍ରାର ସପ୍ତମ କଂସ ଭାବରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ନାମ ଗୋପାଳ(ଶ୍ରୀକୃଷ୍ଣ) ହେଲେ ବି ତାଙ୍କୁ କଂସ ମହାରାଜ ଭାବରେ ସମସ୍ତେ ଜାଣୁଥିଲେ। ୧୯୮୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ସେ ୨୩ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ। ପେଶାରେ ସେ ଜଣେ ପୁଲିସ ଅଧିକାରୀ ଥିଲେ।

ହେଲେ ନିଶା ତାଙ୍କର ଅଭିନୟ। ତାଙ୍କ ଅଭିନୟ ଦେଖିବାକୁ ସେ ସମୟରେ କଂସ ଦରବାରରେ ବହୁ ଭିଡ଼ ଜମୁଥିଲା। ନଗର ପରିକ୍ରମା ସମୟରେ ହାତୀ ଉପରେ ବସି ବୁଲି ନିଜ ଉପସ୍ଥିତ ବାକଚାତୁରିରେ ଜରିମାନା ପକାଇ ସେ ଦର୍ଶକଙ୍କ ମନ କିଣୁଥିଲେ। ଝାରସୁଗୁଡ଼ାରେ ରହୁଥିବା ସାନପୁଅଙ୍କ ଘରେ ସେ ଥିଲେ ଏବଂ ଅସୁସ୍ଥତା ଅନୁଭବ କରିଥିଲେ। ସେଠାରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।