ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୁକ୍ତମାନ ବିରୁଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି
ପୁଣି ପଶ୍ଚିମବଙ୍ଗରେ ଲଜ୍ଜା । ଏବେ ବି ମନରୁ ଲିଭିନି ଆର୍ ଜି କର ମେଡ଼ିକାଲ କଲେଜରେ ମହିଳା ଡ଼ାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା । ପୁଣି ପଶ୍ଚିମବଙ୍ଗରେ ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ଦ୍ବିତୀୟ ବର୍ଷରେ ପଢୁଥିବା ଓଡ଼ିଆ ମେଡ଼ିକାଲ ଛାତ୍ରୀ। ଏହି ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତ ଜଡ଼ିତ ରହିଥିବା ବେଳେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ବୋଲି ବର୍ଦ୍ଧମାନ ଜିଲ୍ଲା ପୋଲିସ କହିଛି । ତେବେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଘଟଣାରେ ସେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଏହି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୃଢ଼ ଦାବି ଜଣାଉଛି। ମୁଁ ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହା ସହ ପଶ୍ଚିମବଙ୍ଗର ସରକାରଙ୍କୁ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ।
