ପଶ୍ଚିମବଙ୍ଗରେ ୯୧ ଲକ୍ଷ ଲୋକଙ୍କ ପରିଚୟ ସଙ୍କଟରେ, ଭୋଟର ତାଲିକାରୁ ନାମ ଗାଏବ୍

ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଭୋଟର ତାଲିକା ସମ୍ପର୍କରେ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ନିର୍ବାଚନ କମିଶନ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅଧୀନରେ ଏକ ନୂତନ ଭୋଟର ତାଲିକା ପ୍ରକାଶ ପାଇଛି। ଯେଉଁଥିରେସାରା ରାଜ୍ୟରୁ ୯୦ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ଦିଆଯାଇଛି। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁଯାୟୀ, ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟକ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଏହି ସଂଖ୍ୟା ଏତେ ବଡ଼ ଯେ ଏହା କେବଳ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିନାହିଁ ବରଂ ସୀମାନ୍ତ ଜିଲ୍ଲାଗୁଡ଼ିକର ଲକ୍ଷ ଲକ୍ଷ ପରିବାରକୁ ଚିନ୍ତାରେ ପକାଇଛି ଯେ, ସେମାନେ ଏବେ ନିଜ ଦେଶରେ ‘ଅବୈଧ’ ଭାବରେ ବିବେଚିତ ହେବେ । ରିପୋର୍ଟ ଅନୁଯାୟୀ, ଏକ ସ୍ୱଚ୍ଛ ଏବଂ ସଠିକ ଭୋଟର ତାଲିକା ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି। ଏହି ପ୍ରକ୍ରିୟାରେ ଡୁପ୍ଲିକେଟ୍, ମୃତ ଭୋଟର କିମ୍ବା ସେମାନଙ୍କ ଠିକଣାରୁ ସ୍ଥାନାନ୍ତରିତ ହୋଇଥିବା ନାମ ବାଦ ଦିଆଯାଇଛି। ତଥ୍ୟର ବାସ୍ତବତା ଭୟଙ୍କର। ନିର୍ବାଚନ କମିସନଙ୍କ ରିପୋର୍ଟ ଦର୍ଶାଉଛି ଯେ, ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ସଂଖ୍ୟାଲଘୁ ବହୁଳ ମୁର୍ଶିଦାବାଦ ଜିଲ୍ଲା। ଯେଉଁଠାରୁ ୪,୫୫,୧୩୭ ଲୋକଙ୍କ ନାମ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ଏହା ପରେ ଉତ୍ତର ୨୪ ପରଗନାର ୩,୨୫,୬୬୬ ଲୋକ ଆଉ ଭୋଟର ନୁହଁନ୍ତି। କୁଚବିହାର, ଉତ୍ତର ଦିନାଜପୁର, ମାଲଦା ଏବଂ ଦକ୍ଷିଣ ୨୪ପରଗନା ପରି ସୀମାନ୍ତ ଜିଲ୍ଲାଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟକ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଏକ ସମ୍ପୂର୍ଣ୍ଣ ତଦନ୍ତ ପରେ, ନ୍ୟାୟିକ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଲକ୍ଷ ଲକ୍ଷ ଲୋକ ଭୋଟର ତାଲିକାରେ ରହିବା ପାଇଁ ସେମାନଙ୍କର ଯୋଗ୍ୟତା ହରାଇଛନ୍ତି ।ଏଥର ଜିଲ୍ଲାୱାରୀ ତଥ୍ୟ ମଧ୍ୟ ସାର୍ବଜନୀନ କରିଛନ୍ତି, ଯାହା ଦ୍ଵାରା ଭୋଟରମାନେ ସେମାନଙ୍କ ଜିଲ୍ଲା ଅନୁସାରେ ତାଲିକାରେ ସହଜରେ ସେମାନଙ୍କ ନାମ ଯାଞ୍ଚ କରିପାରିବେ। ସମ୍ପୂର୍ଣ୍ଣ ତାଲିକା ସରକାରୀ ପୋର୍ଟାଲରେ ଉପଲବ୍ଧ କରାଯାଇଛି, ଯେଉଁଠାରେ ନାଗରିକମାନେ ସେମାନଙ୍କ ନାମ ଯାଞ୍ଚ କରିପାରିବେ।