ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ଅରେଞ୍ଜ ସତର୍କତା

ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର ୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବଲାଙ୍ଗୀର, ନୂଆପଡା, ବରଗଡ , ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ସତର୍କତା ଜାରି କରାଯାଇଛି। ଅବପାତ ଏହି ସବୁ ଜିଲ୍ଲା ଦେଇ ଗତି କରୁଥିବାରୁ ପାଣିପାଗ ବିଭାଗରୁ ଆସନ୍ତା ୩ ଘଣ୍ଟା ପାଇଁ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୧୨ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବ। ୧୩ ତାରିଖରୁ ୧୫ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଦକ୍ଷିଣ ଚାଇନା ସମୁଦ୍ରରେ ସୃଷ୍ଟି ହୋଇଥିବା ବାତ୍ୟା ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇ ବାଂଲାଦେଶ ଉପରେ ରହିଛି। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଝାଡ଼ଖଣ୍ଡ ଉପର ଦେଇ ଅତିକ୍ରମ କରିପାରେ। ସେଠାରେ ଥିବା ଲଘୁଚାପ ସହ ସମ୍ମିଳିତ ହୋଇ ଛତିଶଗଡ ଓ ଝାଡଖଣ୍ଡରେ ପ୍ରବଳ ବର୍ଷା କରାଇବା ସମ୍ଭାବନା ରହିଛି।